କଂଗ୍ରେସରେ ଯୋଗ ଦେଲେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା

ଭୁବନେଶ୍ବର: ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ମହା ମିଶ୍ରଣ ପର୍ବରେ ମୟୁରଭଞ୍ଜର ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ବଂ ତାଙ୍କ ଶତାଧିକ ସମର୍ଥକ କଂଗ୍ରେସରେ ଯୋଗଦେଇଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡିଶା କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ବିଧିବଦ୍ଧ ଯୋଗଦାନ କରିଛନ୍ତି। ଏହି ମିଶ୍ରଣ ପର୍ବରେ ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ ଉତ୍ତରୀୟ ଏବଂ ଫୁଲତୋଡ଼ା ଦେଇ କଂଗ୍ରେସକୁ ଶ୍ରୀ ରାମଚନ୍ଦ୍ର ହାଁସଦାଙ୍କୁ ସ୍ୱାଗତ କରିଥିଲେ। ଯୋଗଦେବା ପରେ ଶ୍ରୀ ହାଁସଦା ତାଙ୍କ ଅଭିଭାଷଣରେ କହିଲେ, ମୟୁରଭଞ୍ଜର ଆଦିବାସୀ ଦଳିତଙ୍କ ପାଇଁ ଆଜି ପର୍ଯ୍ୟନ୍ତ ଲଢେଇ କରି ଆସିଛି। ମାଟି ପାଇଁ ନେତା ଗଢିବା ଇଚ୍ଛା ଥିଲା। 1995ରେ ସୁଦାମ ମାରାଣ୍ଡିଙ୍କୁ ପଠାଇଥିଲୁ। କିନ୍ତୁ ସେ ଆଦିବାସୀଙ୍କ ସ୍ୱର ବିଧାନସଭା କିମ୍ବା ଲୋକସଭାରେ ଉତ୍ତୋଳନ କରିପାରିଲେନି। ମୁଁ ବିରୋଧ କରିବାରୁ ଜେଏମଏମରୁ ମତେ ନିଲମ୍ବନ କରିଥିଲେ। 2000 ମସିହାର ମୁଁ କଂଗ୍ରେସରୁ ଲଢେଇ କରିବାକୁ ଚାହୁଁଥିଲି। 2004 ରେ ସ୍ୱାଧୀନରେ ଲଢ଼ିଥିଲି। ସବୁବେଳେ କଂଗ୍ରେସ ପ୍ରତି ଆକର୍ଷଣ ଥିଲା। ବିଜେଡି ସମୟରେ ଉତ୍ତର ଓଡିଶା ପାଇଁ କିଛି କରାଯାଇ ନାହିଁ। କଂଗ୍ରେସ ହିଁ କେବଳ ମୟୁରଭଞ୍ଜ ଲୋକଙ୍କ ବିକାଶ କରିପାରିବ ଓ ସ୍ୱାଭିମାନ ରଖିବ। ଓପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ମୟୁରଭଞ୍ଜରେ କଂଗ୍ରେସ ବାନା ଉଡେଇବ। ଏହି ମିଶ୍ରଣ ପର୍ବକୁ ସମ୍ବୋଧିତ କରି ଏଆଇସିସି କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ କହିଲେ, ଦେଶର ଆଦିବାସୀ ଦଳିତ ପଛୁଆ ଲୋକଙ୍କ ଅଧିକାର ପାଇଁ ଆମକୁ ଲଢ଼ିବାକୁ ପଡ଼ିବ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ନୂଆ ଅଭିଯାନ ଆରମ୍ଭ ହୋଇଯାଇଛି।