ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ

ଯାଜପୁର : ଆଜି ଯାଜପୁରର ପୂର୍ବତନ ସାଂସଦ ମୋହନ ଜେନାଙ୍କ ପରଲୋକ। ସେ କିଡନୀ, ମଧୁମେହ, ଉଚ୍ଚ ରକ୍ତଚାପ ଆଦି ରୋଗରେ ପୀଡିତ ଥିଲେ।କିଛି ଦିନ ତଳେ ତାଙ୍କୁ ହୃଦଘାତ ହେବାରୁ ସେ ହସ୍ପିଟାଲରେ ଭର୍ତି ହୋଇଥିଲେ I ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଆଜି ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସୋମବାର ତାଙ୍କ ନିଧନ ହୋଇଥିବା ନେଇ ଝିଅ ଆଦ୍ୟା ଅନିନ୍ଦିତା ସୂଚନା ଦେଇଛନ୍ତି।
ମୋହନ ଜେନା ଯାଜପୁର ବଡଚଣାର ଶାସନସିମାରେ ୧୪ ଜୁଲାଇ ୧୯୫୭ରେ ଜନ୍ମଗ୍ରହଣ କରିଥିଲେ। କେନ୍ଦ୍ରାପଡା କଲେଜରେ ବିଏ ପାସ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜ ବିଜ୍ଞାନରେ ଏମଏ ଡିଗ୍ରୀ ହାସଲ କରିଛନ୍ତି। ୧୯୮୨-୮୩ରେ ମୋହନ ଜେନା ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ଏକାଧାରରେ ଜଣେ ଲୋକପ୍ରିୟ ନେତା, ସମାଜସେବୀ, ପ୍ରକାଶକ ଥିଲେ। ୧୯୯୨-୧୯୯୪ ପର୍ଯ୍ୟନ୍ତ ସେ ଯୁବ ଜନତା ଦଳର ସାଧାରଣ ସମ୍ପାଦକ, ୧୯୯୪-୯୮ ପର୍ଯ୍ୟନ୍ତ ଜନତା ଦଳର ସମ୍ପାଦକ ଥିଲେ। ୨୦୦୪ ମସିହାରେ ସେ ବିଜେଡି ଟିକେଟରେ ଲୋକସଭା ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହି ସମୟରେ ସେ ଲୋକସଭାର ଗ୍ରାମ୍ୟ ଉନ୍ନୟନ, ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟିର ସଦସ୍ୟ ମଧ୍ୟ ରହିଥିଲେ। ସେହିପରି ୨୦୦୯ରେ ତାଙ୍କୁ ପୁଣି ବିଜେଡି ପକ୍ଷରୁ ଟିକେଟ ଦିଆଯାଇଥିଲା। ଆଉ ୨୦୦୯ ମସିହାରେ ବି ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏଥର ବି ତାଙ୍କୁ ଲୋକସଭାର ଜଳ ସମ୍ବଳ, ଆଦିବାସୀ ଉନ୍ନୟନ କମିଟିରେ ସଦସ୍ୟ ଭାବେ ସ୍ଥାନ ମିଳିଥିଲା। ୨୦୧୪ ମସିହାରେ ତାଙ୍କୁ ଦଳ ଟିକେଟ ଦେଇନଥିଲା। ପରେ ୨୦୧୯ ମସିହାରେ ସେ ବିଜେପିରେ ଯୋଗ ଦେଇ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ମୋହନ ଜେନା ୪ ବର୍ଷ ହେବ ସେ କିଡ୍‌ନୀ ରୋଗରେ ପୀଡ଼ିତ ରହିଥିଲେ। ନିୟମିତ ତାଙ୍କର ଡାଇଲିସିସ୍ ଚାଲିଥିଲା। ତେବେ ଗତମାସ ୨୦ ତାରିଖରେ ଯାଜପୁରର ଏକ ସାମାଜିକ ଉତ୍ସବରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ୨୧ ଦିନର ସଂଗ୍ରାମ ପରେ ସେ ହସ୍ପିଟାଲରେ ଆଖି ବୁଜି ଦେଇଛନ୍ତି। ମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସେମତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି।