ଭୁବନେଶ୍ବର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ସତ୍ୟନାରାୟଣ ସାହୁଙ୍କୁ ଜଣେ ପୂର୍ବତନ ସୁଇପର ଅତର୍କିତ ଭାବେ ଛୁରାମାଡ଼ କରିଛନ୍ତି । ଏହି ଆକ୍ରମଣରେ ଗୁରୁତର ଆହତ ହୋଇଥିବା ପ୍ରଫେସର ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅଛନ୍ତି । ସୂଚନା ଅନୁଯାୟୀ, କାର୍ଯ୍ୟରେ ଅବହେଳା ଯୋଗୁ ପ୍ରଫେସର ସତ୍ୟନାରାୟଣ ସାହୁ ଅବସରପ୍ରାପ୍ତ ସୁଇପର କୃପାସିନ୍ଧୁ ବାଗଙ୍କୁ ପୂର୍ବରୁ ଚାକିରିରୁ ବାହାର କରିଦେଇଥିଲେ । ସେହି ପ୍ରତିଶୋଧ ପରାୟଣ ହୋଇ କୃପାସିନ୍ଧୁ ଆଜି ରସାୟନ ବିଜ୍ଞାନ ବିଭାଗ ଭିତରେ ପଶି ପ୍ରଫେସରଙ୍କୁ ଛୁରା ମାଡ଼ କରିଥିବା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ଏହି ଘଟଣା ପରେ ବିଶ୍ୱବିଦ୍ୟାଳୟ ପରିସରରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ କୃପାସିନ୍ଧୁ ବାଗଙ୍କୁ ଅଟକ ରଖିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।