ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହୋଇ କାନ୍ଦିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ

ସାମ୍ବାଦିକ ସମ୍ମିଳନୀରେ ଭୋ ଭୋ ହୋଇ କାନ୍ଦିଲେ ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ଅଧ୍ୟକ୍ଷ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ । ଓ୍ବାଇଏସଆର କଂଗ୍ରେସ ଦଳର ସସଦସ୍ୟଙ୍କ ଦ୍ବାରା ତାଙ୍କୁ ଅପମାନିତ କରାଯାଇଥିବା ଅଭିଯୋଗ କରିବା ସହ ୨୦ ୨୪ ଯାଏ ବିଧାନସଭାରେ ପ୍ରବେଶ କରିବେ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି, ‘ଏହା ପରେ ମୁଁ ବିଧାନ ସଭାରେ ସାମିଲ ହେବି ନାହିଁ। ପୁଣି ମୁଖ୍ୟମନ୍ତ୍ରୀ ହେବା ପରେ ବିଧାନସଭା ଆସିବି।’
ବିଧାନସଭାରେ ଶୀତାକଳୀନ ଅଧିବେଶନର ଦ୍ବିତୀୟ ଦିନରେ ନାରୀ ସଶକ୍ତିକରଣ ଉପରେ ଚର୍ଚ୍ଚା କରୁଥିବା ବେଳେ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଓ୍ବାଇଏସଆର କଂଗ୍ରେସ ନେତା ଅପମାନଜନ ଟିପ୍ପଣୀ କରିଥିବା ନେଇ ଚନ୍ଦ୍ରବାବୁ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହା ପରେ ଟିଡିପିର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ବଳନୀରେ ୭୧ ବର୍ଷୀୟ ନାଇଡୁ ଭୋ ଭୋ ହୋଇ କାନ୍ଦିଥିଲେ। ଏପରିକି ସେ ବହୁ ସମୟ ଧରି ଦୁଇ ହାତରେ ନିଜ ମୁହଁକୁ ଲୁଚାଇ ରଖିଥିଲେ।
ଏହା ପରେ ସେ କହିଥିଲେ ଯେ ତାଙ୍କ ପତ୍ନୀ ରାଜନୀତିରେ ନାହାଁନ୍ତି। କାନ୍ଦୁ କାନ୍ଦୁ ନାଇଡୁ କହିଥିଲେ, ‘ମୁଁ ରାଜନୀତିରେ ରହେ କି ନରହେ କିନ୍ତୁ ଜୀବନର ପ୍ରତିଟି ମୁହୂର୍ତ୍ତରେ ଉତ୍ସାହିତ କରିବା ବ୍ୟତୀତ ସେ କେବେ ରାଜନୀତିରେ ହସ୍ତକ୍ଷେପ କରିନାହାନ୍ତି। ତାପରେ ବି ସେମାନେ ମୋ ପତ୍ନୀଙ୍କୁ ଅପମାନିତ କରିବାକୁ ଚେଷ୍ଟା କଲେ। ୪୦ ବର୍ଷ ରାଜନୈତିକ ଜୀବନରେ ଏମିତି କଷ୍ଟ କେବେ ହୋଇନଥିଲା। ଶାସକ ଏବଂ ବିରୋଧୀଙ୍କ ବିତର୍କ ଶୁଣିଛି। କିନ୍ତୁ ବିରୋଧୀଙ୍କୁ ଏମିତି ଅପମାନ କରିବା କେବେ ଦେଖିନଥିଲି।’
ଏହା ସହ ସେ ତାଙ୍କ ପ୍ରତି ହୋଇଥିବା ଅପମାନକୁ ମହଭାରତର କୌରବ ସଭା ସହ ତୁଳନା କରିଛନ୍ତି ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ। ବିରୋଧୀ ତାଙ୍କ ପତ୍ନୀଙ୍କୁ ଅପମାନିତ କରୁଥିବା ବେଳେ ବିଧାନସଭା ଅଧ୍ୟକ୍ଷ ଚୁପ ହୋଇ ବସିଥିଲେ ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି। ଅଢ଼େଇ ବର୍ଷ ହେଲା ଅପମାନର ସାମ୍ନା କରୁଛି। ମୋର ଏହି ଲଢ଼େଇକୁ ଲୋକଙ୍କ ପାଖକୁ ନେଇ ଯିବି। ସେମାନଙ୍କ ସମର୍ଥନ ମାଗିବି। ମୁଖ୍ୟମନ୍ତ୍ରୀ ଭାବେ ଜନ ସମର୍ଥନ ପାଇବା ପରେ ହିଁ ବିଧାନସଭାକୁ ଫେରିବି ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ।

Comments (0)
Add Comment