ଜଙ୍ଗଲ ନିଆଁ ନିୟନ୍ତ୍ରଣରେ ବିଫଳ; ଫରେଷ୍ଟର ସମେତ ୩ ବନ ଅଧିକାରୀ ସସପେଣ୍ଡ୍‌

ଭୁବନେଶ୍ବର: ଜଙ୍ଗଲ ନିଆଁକୁ ନିୟନ୍ତ୍ରଣରେ ବିଫଳ ଯୋଗୁଁ 3 ବନ ଅଧିକାରୀ ନିଲମ୍ବିତ ହୋଇଛନ୍ତି । ମଙ୍ଗଳବାର ଘଟଗାଁ ବନାଞ୍ଚଳର ୩ ବନ ଅଧିକାରୀଙ୍କୁ ଡିଏଫ୍‌ଓ ଏଚଡି ଧନରାଜ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ସେମାନେ ହେଲେ ଘଟଗାଁ ବନାଞ୍ଚଳର ଫରେଷ୍ଟର ପ୍ରମୋଦ ବେହେରା ଓ ବିଶ୍ୱରଞ୍ଜନ ମିଶ୍ର । ଏହାସହିତ ପାଟଣା ବନାଞ୍ଚଳର ବନରକ୍ଷୀ ହୃଦାନନ୍ଦ ମହାନ୍ତ । ନିଜ କର୍ତ୍ତବ୍ୟରେ ଅବହେଳା କରିବା ସହିତ କର୍ତ୍ତବ୍ୟ ସମୟରେ ନିଶା ସେବନ ଏବଂ ବନ୍ୟପ୍ରାଣୀଙ୍କ ଯୋଗୁଁ ଫସଲ କ୍ଷୟକ୍ଷତି ରିପୋର୍ଟ ପ୍ରଦାନରେ ବିଳମ୍ବତା ଯୋଗୁଁ ଡିଏଫ୍‌ଓ 3 ବନ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ସମୟରେ ବନ କର୍ମଚାରୀମାନେ ମୁଖ୍ୟାଳୟରେ କର୍ତ୍ତବ୍ୟ ତୁଲାଇବେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଏହି କାର୍ଯ୍ୟାନୁଷ୍ଠାନ ପରେ ଅନ୍ୟ କର୍ମଚାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଜଙ୍ଗଲ ନିଆଁକୁ ନିୟନ୍ତ୍ରଣକୁ ବନବିଭାଗ ଗୁରୁତ୍ବ ଦେଇ ଆସୁଥିବା ବେଳେ ଦାୟିତ୍ଵରେ ଥିବା କର୍ମଚାରୀମାନେ ଦାୟିତ୍ୱହୀନତା ଯୋଗୁଁ ଚଳିତବର୍ଷ ଅଧିକ ନିଆଁ ଜଙ୍ଗଲରେ ଲାଗିଛି ।