କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ:କରାଗଲା ଏୟାର ଲିଫ୍ଟିଂ

କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ଆଜି ହଠାତ ଅସୁସ୍ଥ ହୋଇପଡ଼ିଥିଲେ । ସେ ଫୁଲବାଣୀ ସର୍କିଟ ହାଉସରେ ବିଶ୍ରାମ ନେଉଥିଲେ I ଗତକାଲି ରାତିରୁ ଜ୍ୱର ହେବା ନିମ୍ନରକ୍ତଚାପ ହେବାଫଳରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଖବର ପାଇ କନ୍ଧମାଳ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ଗ୍ରାମ୍ୟ ପାନୀୟ ଜଳ ବିଭାଗ ଏସଇ ଇଂ ସନ୍ତୋଷ କୁମାର କରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ସର୍କିଟ ହାଉସରେ ପହଁଚି ମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ।
ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି। ତାଙ୍କୁ ସେଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟିଂ କରାଯିବ। ଏନେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ ଅଭୟ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି।
ଡାକ୍ତର ପଟ୍ଟନାୟକ କହିଛନ୍ତି, ତାଙ୍କର କରୋନା ଟେଷ୍ଟ ହୋଇଛି। ତାଙ୍କ ଆଣ୍ଟିଜେନ୍‌ ରିପୋର୍ଟ ନେଗେଟିଭ ଆସିଛି, କିନ୍ତୁ ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ଏଯାଏଁ ଆସିନି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ୪ଦିନିଆ କନ୍ଧମାଳ ଗସ୍ତରେ ଆସି ମନ୍ତ୍ରୀ ଦାରିଙ୍ଗବାଡି, କୋଟଗଡ ,ତୁମୁଡିବନ୍ଧ ବାଲିଗୁଡ଼ାରେ ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିଥିଲେ । ଏହାପରେ ଶନିବାର ଫୁଲକାଶୀ ସର୍କଟ ହାଉସରେ ପହଞ୍ଚିଥିଲେ। ରବିବାର ଚକାପାଦ ଶଙ୍କରା ଖୋଲ, ବସ୍ତିଙ୍ଗିଆ, ଗଞ୍ଜଗୁଡ଼ା ଆଦି ଗସ୍ତ କରି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବାର ଥିଲା। ସେହିପରି ସୋମବାର ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟକ୍ରମ ଥିଲା ତେବେ ମନ୍ତ୍ରୀ ଶ୍ରୀ ଜେନାଙ୍କ ଦେହ ଅସୁସ୍ଥ ହୋଇପଡ଼ିବା କାରଣରୁ ଆଜି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ବାତିଲ କରାଯାଇଛି I

Comments (0)
Add Comment