ଫ୍ୟାସନରେ ଫୁଲ ପ୍ରିଣ୍ଟ୍‍ ପୋଷାକ

ଫ୍ୟାସନ୍‍ ଜଗତରେ ଫୁଲ କଥା ଉଠିଲେ ବହୁତ କଥା ମନକୁ ଆସେ । ଦକ୍ଷିଣ ଭାରତୀୟ ମହିଳାଙ୍କୁ ଛାଡ଼ିଦେଲେ ପ୍ରାୟ କେହି ମୁଣ୍ଡରେ ଫୁଲ ମାଳ ବା ଫୁଲଗୁନ୍ଥା ପରିଧାନ କରନ୍ତିନାହିଁ । କିନ୍ତୁ ଆଜିକା ଜମାନାରେ ମହିଳା ଓ ଯୁବତୀମାନେ ପୋଷାକପତ୍ରର ରଙ୍ଗକୁ ବେଶୀ ପ୍ରଧାନ୍ୟ ଦେଇଥାଆନ୍ତି । ଯଦି ଏହି ପୋଷାକପତ୍ରରେ ଫୁଲର ଛାପ ଦିଆଯାଏ, ତାହା ନିଶ୍ଚିତ ଭାବେ ଆଖି ଝଲସିଆ ହୋଇପାରିବ । ବିଶେଷ କରି ଗ୍ରୀଷ୍ମଋତୁରେ ଫୁଲ ପ୍ରିଣ୍ଟ୍‍ ପଡ଼ିଥିବା ଲୁଗା, ସାଲୱାର, ପଞ୍ଜାବୀ, ଘାଗରା-ଚୋଲି, ମେକ୍ସି, ଫ୍ରକ୍‍ ଧରଣର ପୋଷାକପତ୍ର ଶରୀର ଓ ମନ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ । ଫୁଲ ପ୍ରିଣ୍ଟ୍‍ ପଡ଼ିଥିବା ପୋଷାକ ସମ୍ପ୍ରତି ଯୁବତୀ ଓ ମହିଳାମାନଙ୍କ ଏକ ନୂଆ ଫ୍ୟାସନ୍‍ ପାଲଟିଛି । ପୂର୍ବରୁ ମହିଳାମାନେ ଫୁଲ ପଡ଼ିଥିବା ଲୁଗା ପିନ୍ଧିବାକୁ ବେଶ୍‍ ଭଲ ପାଉଥିଲେ । କ୍ରମେ ଏଭଳି ଫ୍ୟାସନ୍‍କୁ ଯୁବତୀମାନେ ପସନ୍ଦ କଲେନି । ସମ୍ପ୍ରତି ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଜଗତରେ ଫୁଲ ପ୍ରଣ୍ଟି ଥିବା ପୋଷାକପତ୍ର ପ୍ରତି ମହିଳା ଓ ଯୁବତୀମାନଙ୍କର ଆଗ୍ରହ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ସମୟରେ ଓ ପ୍ରତ୍ୟେକ କ୍ଷେତ୍ରରେ ସେମାନେ ଏଭଳି ପ୍ରିଣ୍ଟ୍‍ ଥିବା ପୋଷାକପତ୍ର ପିନ୍ଧିବା ଲାଗି ଭଲ ପାଉଛନ୍ତି । ଫୁଲର ପ୍ରିଣ୍ଟ୍‍ ଯେ କୌଣସି ଧରଣର ପୋଷାକକୁ ସୁହାଇଥାଏ ।


ଜନୈକା ଫ୍ୟାସନ୍‍ ଡଜାଇନର୍‍ଙ୍କ ମତରେ ଫୁଲ ପ୍ରିଣ୍ଟ୍‍ ଥିବା ପୋଷାକ ମନକୁ ସତେଜ ରଖିବା ସହ ଚେହେରାରେ ଏକ ସ୍ୱତନ୍ତ୍ର ଲୁକ୍‍ ଆଣିଦେଇଥାଏ । ଯେ କୌଣସି ବୟସର ନାରୀ ଏଭଳି ପ୍ରିଣ୍ଟ ଥିବା ପୋଷାକ ପିନ୍ଧିପାରିବେ । ୟୁନାଇଟେଡ଼ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଫ୍ୟାସନ୍‍ ଡିଜାଇନିଂର ଫ୍ୟାସନ୍‍ ଡିଜାଇନର୍‍ ରୁଚି ରୋହତାଗି କୁହନ୍ତି, “ସମ୍ପ୍ରତି ଫୁଲ ପ୍ରିଣ୍ଟ୍‍ ଥିବା ସାଲୱାର୍‍ର ଚାହିଦା ବଢ଼ିବାରେ ଲାଗିଛି ।” ଏଭଳି ଚାହିଦା ଦୀର୍ଘ ଦିନ ଯାଏଁ ଚାଲୁରହିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ପାଶ୍ଚାତ୍ୟ ଜଗତର ମହିଳା ଓ ଯୁବତୀମାନେ ମଧ୍ୟ ଏଭଳି ପ୍ରିଣ୍ଟ୍‍ ଥିବା ପୋଷାକକୁ ଅଧିକ ପସନ୍ଦ କରୁଛନ୍ତି ।

ସେମାନେ ବିଭିନ୍ନ ଫୁଲର ପ୍ରିଣ୍ଟ୍‍ ଥିବା ସ୍କର୍ଟ ଏବଂ ମେକ୍ସି ପିନ୍ଧିବା ଲାଗି ଆଗଭର ହେଉଛନ୍ତି । ଏପରିକି କଳାଧଳା ରଙ୍ଗରେ ଫୁଲ ଚିତ୍ରିତ ହୋଇଥିବା ପୋଷାକପତ୍ର ମଧ୍ୟ ବେଶ୍‍ ଆଦର ବଢ଼ୁଛି । ଶରୀରର ରଙ୍ଗକୁ ଲକ୍ଷ୍ୟ କରି ବଜାରରେ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ପ୍ରିଣ୍ଟ୍‍ ଥିବା ପୋଷାକପତ୍ର ମିଳୁଛି । ଯେ କୌଣସି ମହିଳା ବା ଯୁବତୀ ନିଜ ପସନ୍ଦର ପୋଷାକ କିଣିପାରିବେ । ତେବେ ଏଭଳି ଧରଣର ପୋଷାକ ପିନ୍ଧିଲେ ଜଣେ ନିଶ୍ଚିତ ରୂପେ ସ୍ମାର୍ଟ ଦିଶିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।