ବନ୍ୟା ଆଶଙ୍କା: ଲଗାତର ବର୍ଷା ଯୋଗୁଁ ଫୁଲୁଛି ବିଭିନ୍ନ ନଦୀ

ଭୁବନେଶ୍ବର: ଓଡିଶାରେ ଲଗାତର ବର୍ଷା ଯୋଗୁଁ ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହି ବର୍ଷା ଆହୁରି କିଛିଦିନ ରହିଥିବାରୁ କେତେକ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ବର୍ତ୍ତମାନ ଆଜି ଦିନ ଗୋଟାଏ ସୁଦ୍ଧା ବିଭିନ୍ନ ନଦୀର ଜଳ ସ୍ତର ଯାହା ରହିଛି ତାହା ହେଲା….

ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେତୁ  ସୁବର୍ଣ୍ଣରେଖା, ଜଳକା ଏବଂ ବୈତରଣୀ ନଦୀରେ ଜଳସ୍ତର ବୃଦ୍ଧି  ପାଉଛି। ବୈତରଣୀ ନଦୀର ଆନନ୍ଦପୁର ଠାରେ ଜଳ ସ୍ତର ୩୮. ୮ ୨  ମିଟରରେ ପ୍ରବାହିତ ହେଉଛି ଓ ଏହା କ୍ରମାଗତ  ବୃଦ୍ଧି ପାଉଛି, ଏହାର  ବିପଦ ସଂକେତ  ସ୍ତର ୩୮. ୩୬  ମିଟର  । ସେହିପରି, ଆଖୁଆପଦା ଠାରେ ଜଳସ୍ତର ୧୭. ୯୮  ମିଟର ରହିଛି ଓ ଏହା କ୍ରମାଗତ ବୃଦ୍ଧି ସ୍ଥିତିରେ  ଅଛି । ଏହାର  ବିପଦ ସଂକେତ ସ୍ତର ୧୮. ୩୩  ମିଟର । କେନ୍ଦ୍ରୀୟ ଜଳ ଆୟୋଗ(ସିଡବ୍ଲୁସି)ର ଅନୁମାନ ଅନୁଯାୟୀ, ଏହି ସ୍ତର ଆଜି ରାତି ୧୦  ଟା ସୁଦ୍ଧା ୧୮ . ୬୫  ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଜଳକା ନଦୀରେ ମଥାନୀ ଠାରେ ଜଳସ୍ତର  ୭. ୨୦ ମିଟର (ସ୍ଥିର ରହିଛି ), ଯାହାକି  ବିପଦ ସଂକେତ ଊର୍ଦ୍ଧ୍ୱରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର ୬ . ୫୦ ମିଟର । ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟ ଠାରେ ଜଳସ୍ତର ୪୭ . ୯୨  ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ସ୍ଥିତିରେ ଅଛି । ଏହାର ବିପଦ ସଂକେତ ୪୯ ୧୬  ମିଟର । ସେହିପରି ରାଜଘାଟ ଠାରେ  ଏହି ସ୍ତର ୭.୨୬  ମିଟର ରହିଛି ଓ ଏହା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । ଏହାର, ବିପଦ ସଂକେତ ସ୍ତର ୧୦.  ୩ ୬  ମିଟର । ଏହି ପରିପ୍ରେକ୍ଷୀରେ ଆସନ୍ତା କାଲି ୨୭  ତାରିଖ ସକାଳ ୧୦.୦୦ ଟା ସୁଦ୍ଧା  ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ବନ୍ୟା ଜଳ ପ୍ରବାହିତ ହୋଇପାରେ ଏବଂ ଜଳ ସ୍ତର ୧୧ . ୭  ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏଥିପାଇଁ ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଣ୍ଟିଆ( ୨ ୪ X୭ ) କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ  ନିରୀକ୍ଷଣ କରାଯାଉଛି । ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାପାଳମାନଙ୍କୁ  ଯେଉଁଠି ଆବଶ୍ୟକ, ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି  ତଳିଆ ଅଂଚଳର ଲୋକମାନଙ୍କୁ  ଶୀଘ୍ର ନିରାପଦ ଉଚ୍ଚସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ  କାର୍ଯ୍ୟ ପରିଚାଳନା କରିବାକୁ  ସତର୍କ  କରାଯାଇଛି  । ମୁଖ୍ୟ ଯନ୍ତ୍ରୀ ତଥା ଅବବାହିକା ପରିଚାଳକ ( ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର)-  ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ଚିଫ୍ ଇଞ୍ଜିନିୟର ତଥା ବେସିନ୍ ମ୍ୟାନେଜର, ମୁଖ୍ୟ ଯନ୍ତ୍ରୀ ଓ ବେସିନ୍ ମ୍ୟାନେଜର ,ବୈତରଣୀ ବେସିନ୍ କ୍ଷେତ୍ରସ୍ତରରେ  ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟାସ୍ଥିତି ତଦାରଖ କରୁଛନ୍ତି । ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବୃଦ୍ଧିପାଉଥିବାକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର  ଦୁଇଜଣ ସର୍ବୋଚ୍ଚ ଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ବେସିନ୍ ଓ ବୈତରଣୀ ବେସିନକୁ ଯାଇଛନ୍ତି । ସେମାନେ ସେହି ସଂପୃକ୍ତ ବେସିନ୍ ଗୁଡ଼ିକରେ ବନ୍ୟା ପରିଚାଳନା କରିବେ ।