ସାଳନ୍ଦୀ, ଜଳକା ଓ ବୈତରଣୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆଶଙ୍କା: ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର: ସାଳନ୍ଦୀ, ଜଳକା ଓ ବୈତରଣୀ ନଦୀରେ ସନ୍ଧ୍ୟା ସୁଦ୍ଧା ବନ୍ୟା ଆସିବାର ଆଶଙ୍କା ରହିଛି। ଏନେଇ ସମ୍ବାଦଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ତେବେ ମହାନଦୀ ଅବବାହିକାରେ ବନ୍ୟା ଭୟ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନାାନୁସାରେ, ସନ୍ଧ୍ୟା ସୁଦ୍ଧା ବୈତରଣୀରେ ବଡ଼ ବନ୍ୟା ଆସିବା ସମ୍ଭାବନା ରହିଛି। ଏଥିଯୋଗୁଁ ଯାଜପୁର ଓ ଧାମନଗର ଅଞ୍ଚଳରେ ଆଗାମୀ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଦେଖିବାକୁ ମିଳିପାରେ। ସେହିପରି ଜଳକା ନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବାଲେଶ୍ୱର ସଦର ଓ ବସ୍ତା ବ୍ଲକ ପ୍ରଭାବିତ ହେବ।ଅନ୍ୟପଟେ, ହୀରାକୁଦର ଅଧିକାଂଶ ଗେଟ୍ ବନ୍ଦ କରାଯାଇ ବର୍ତ୍ତମାନ ମାତ୍ର ୨ଟି ଗେଟ୍ ଦେଇ ୩୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଆଗାମୀ ୨ ଦିନ ବର୍ଷା ସମ୍ଭାବନା ଥିବାରୁ ହୀରାକୁଦରୁ ଆଉ କୌଣସି ଗେଟ୍ ଖୋଲାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ମୁଣ୍ଡଳୀ ବ୍ୟାରେଜ୍‌ରେ ଦିନ ୧୧ଟା ସୁଦ୍ଧା ୬ ଲକ୍ଷ ୩୭ ହଜାର ୫୮୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ, ଆଜି ଦିନସାରା ପ୍ରାୟ ୭ ଲକ୍ଷ କ୍ୟୁସେକ୍ ପାଣି ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

Flood threat in SalandiJalaka