ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହେଲିକପ୍ଟରରେ ନୁହେଁ, ବୋଟ୍ ଜରିଆରେ ବିଭିନ୍ନ ବନ୍ୟାଞ୍ଚଳ ବୁଲିଲେ | ତାଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଆଦି ଉପସ୍ଥିତ ରହିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ସଙ୍ଗୀନ । ଖାସ୍ କରି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାରେ ବନ୍ୟା ସ୍ଥିତି ଚିନ୍ତାଜନକ । ଖାସ୍ କରି ତଳିଆ ଅଞ୍ଚଳରେ ପାଣି ପଶି ଲୋକେ ହନ୍ତସନ୍ତ ହେଉଛନ୍ତି । ବୈତରଣୀ, ସାଳନ୍ଦୀ, କାଣୀ ଆଦି ନଦୀରେ ବନ୍ୟା ଜଳ ବିପଦ ସଙ୍କେତ ତଳେ ପ୍ରଭାହିତ ହେଉଛି । ଗତ କିଛି ଦିନ ଧରି ଲଗାଣ ବର୍ଷା ଲାଗି ପାଣି ଛାଡ଼ି ଯାଇଥିବା ଅଞ୍ଚଳରେ ଏବେ ଜଳମଗ୍ନ ହୋଇଛି । ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବନ୍ୟାଞ୍ଚଳ ବୁଲିଛନ୍ତି । ପ୍ରଥମେ ଯାଜପୁରରେ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରିଥିଲେ । ପରେ ବୋଟ ଯୋଗେ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ । ଯାଜପୁର ଓ ଦଶରଥପୁର ସମେତ ତଳିଆ ଅଞ୍ଚଳ ଅଧିକ ପ୍ରବାହିତ ହେଉଛି। ୮ଟି ବ୍ଲକର ୨୪୨ଟି ଗାଁ ବନ୍ୟା ଘେରରେ ରହିଛି। ବ୍ୟାପକ ଚାଷ ଜମି ଜଳମଗ୍ନ ହୋଇ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇ ସାରିଛି। ପ୍ରଶାସନ ପକ୍ଷରୁ ଉଦ୍ଧାର, ଥଇଥାନ, ରନ୍ଧାଖାଦ୍ୟ ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଅନ୍ୟ ପଟେ ଆଜି ପାଇଁ ମୟୁରଭଞ୍ଜ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲାକୁ ପ୍ରବଳ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଯାଜପୁରର ବିଭିନ୍ନ ଅଞ୍ଚଳ ବୁଲିବା ପରେ ଭଦ୍ରକ ଅଭିମୁଖେ ବାହାରିବେ ମୁଖ୍ୟମନ୍ତ୍ରୀ ।