ସୁବର୍ଣ୍ଣରେଖାରେ ବନ୍ୟା ସ୍ଥିତି: ସତର୍କ ରହିବାକୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ସୁବର୍ଣ୍ଣରେଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବାରୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ସୁବର୍ଣ୍ଣରେଖା ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ନଦୀଟି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ଜଳସ୍ତର ବିପଦ ସଂକେତ ଉପରେ ରହିବାର ସମ୍ଭାବନା ରହିଛି। ଏହି ବନ୍ୟା ଦ୍ୱାରା ମୁଖ୍ୟତଃ ଜଳେଶ୍ୱର, ଭୋଗରାଇ, ବସ୍ତା ଓ ବାଲିଆପାଳ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାଜ୍ୟର ଅନ୍ୟ କୌଣସି ନଦୀରେ ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ ନଦୀରେ ଜଳସ୍ତର ବୃଦ୍ଧି ପାଇଥିଲେ ବି ଏବେ ତାହା କମିବାରେ ଲାଗିଛି। ସେହିପରି ମହାନଦୀ ଅବବାହିକାରେ ବର୍ଷା କମିଥିବାରୁ ସ୍ଥିତିରେ ସୁଧାର ଆସିଛି।