୨୩ରୁ ଫ୍ଲିପ୍‌କାର୍ଟର ବିଗ୍ ବିଲିୟନ ଡେଜ୍ ସେଲ୍‌

ନୂଆଦିଲ୍ଲୀ: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଭାରତର ଅନ୍ୟତମ ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ପକ୍ଷରୁ ଚଳିତମାସ ୨୩ରୁ ବିଗ୍ ବିଲିୟନ୍ ଡେଜ୍ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏହା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ତେବେ ଫ୍ଲିପ୍‌କାର୍ଟ ପ୍ଲସ୍ ମେମ୍ବରମାନେ ଦିନକ ପୂର୍ବରୁ ଅର୍ଥାତ ସେପ୍ଟେମ୍ବର ୨୨ରୁ ଏହି ସୁଯୋଗ ପାଇପାରିବେ ବୋଲି କୁହାଯାଇଛି । ସେଲ୍ ସମୟରେ ଫ୍ଲିପ୍‌କାର୍ଟ ପକ୍ଷରୁ ଫ୍ୟାସନ, ଇଲେକ୍ଟ୍ରୋନିକ୍ସ, ମୋବାଇଲ ଫୋନ୍‌, ବୃହତ୍‌୍ ଆପ୍ଲାଏନ୍ସେସ୍‌, ବ୍ୟକ୍ତିଗତ ସାମଗ୍ରୀ ଓ ହସ୍ତତନ୍ତ ସମ୍ପର୍କିତ ୯୦ଟି କମ୍ପାନୀର ସାମଗ୍ରୀ ବିକ୍ରି କରାଯିବ ବୋଲି ଜଣାପଡିଛି । ଏଥିସହିତ ସେଲ୍ ସମୟରେ ଗ୍ରାହକଙ୍କୁ ୧୦ ପ୍ରତିଶତ ରିହାତି ଦେବାକୁ ଫ୍ଲିପ୍‌କାର୍ଟ ପକ୍ଷରୁ ଆଇସିଆଇସିଆଇ ଓ ଆକ୍ସିସ୍ ବ୍ୟାଙ୍କ ସହ ପାର୍ଟନରସିପ୍ କରାଯାଇଛି । ଦେଶର ପ୍ରାୟ ୨ ଲକ୍ଷ ଛୋଟବଡ କମ୍ପାନୀ ଫ୍ଲିପ୍‌କାର୍ଟ ସହ ଅନୁବନ୍ଧିତ ହୋଇ ସେମାନଙ୍କର ସାମଗ୍ରୀ ବିକ୍ରି କରୁଛନ୍ତି । ସୂଚନାଯୋଗ୍ୟ ବିଶ୍ୱର ସର୍ବବୃହତ୍ ଇ-କମର୍ସ କମ୍ପାନୀ ଆମାଜନ ମଧ୍ୟ ସେପ୍ଟେମ୍ବର ୨୩ରୁ ‘ଗ୍ରେଟ୍ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍‌’ ଆରମ୍ଭ କରୁଥିବା ଜଣାପଡିଛି ।