ଭୁବନେଶ୍ୱର: ଭୁବନେଶ୍ୱରରୁ ସିଙ୍ଗାପୁରକୁ ଚାଲୁଥିବା ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ହୋଇଛି। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। କେବଳ ସିଙ୍ଗାପୁର ନୁହେଁ, ବରଂ ଇନ୍ଦୋର, ଡେରାଡୁନ ଏବଂ କୋଚିନ ଭଳି ପ୍ରମୁଖ ସହରକୁ ମଧ୍ୟ ବିମାନ ଉଡ଼ାଣ ବନ୍ଦ ରହିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ‘ଅଫ୍ ସିଜିନ୍’ ଚାଲିଥିବାରୁ କିଛି ବିମାନ ଚଳାଚଳ ସଂସ୍ଥା ନିଜର ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଯୁଦ୍ଧ ପରିସ୍ଥିତି ଯୋଗୁଁ ଦୁବାଇକୁ ବିମାନ ସେବା ସ୍ଥଗିତ ରଖାଯାଇଥିବା ବେଳେ ବର୍ତ୍ତମାନ ବ୍ୟାଙ୍କକକୁ ଅନ୍ତର୍ଜାତୀୟ ଉଡ଼ାଣ ଜାରି ରହିଛି। ତେବେ ଯାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର କିଛି ନୂଆ ସ୍ଥାନକୁ ବିମାନ ସେବା ଆରମ୍ଭ କରିବା ନେଇ ଯୋଜନା କରୁଛନ୍ତି। ଆଗାମୀ ଦିନରେ ନୂଆ ରୁଟ୍ରେ ବିମାନ ଉଡ଼ାଣ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି।