ମଙ୍ଗଳବାର ପର୍ଯ୍ୟନ୍ତ ବିମାନ ବାତିଲ ହେଲା ‘ଗୋ ଫାଷ୍ଟ୍‌’

ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତ ବିମାନ ବାତିଲ୍‌ କରିବ ବୋଲି ଆର୍ଥିକ ସଙ୍କଟରେ ପଡ଼ିଥିବା ‘ଗୋ ଫାଷ୍ଟ୍‌’ ଏୟାର୍‌ଲାଇନ୍‌ ଆଜି ଘୋଷଣା କରିବା ପରେ ଏଥିଯୋଗୁଁ ପ୍ରଭାବିତ ହୋଇଥିବା ଯାତ୍ରୀମାନଙ୍କୁ ଟିକେଟ୍‌ ବାବଦ ଅର୍ଥ ଫେରସ୍ତ କରିବା ଲାଗି ‘ଡାଇରେକ୍ଟୋ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ (ଡିଜିସିଏ) କହିଛି।

‘ୱାଦିଆ ଗ୍ରୁପ୍‌’ ମାଲିକାନାରେ ଥିବା ‘ଗୋ ଫାଷ୍ଟ୍‌’ ଏୟାର୍‌ଲାଇନ୍‌ ଉତ୍କଟ ଆର୍ଥିକ ସଙ୍କଟ ଦର୍ଶାଇ ‘ଭଲ୍ୟୁଣ୍ଟାରି ଇନ୍‌ସଲ୍‌ଭେନ୍‌ସି ପିଟିସନ୍’ ଫାଇଲ୍‌ କରିବା ପରେ ‘ଡିଜିସିଏ’ ଉପରୋକ୍ତ ନିର୍ଦେଶ ଦେଇଛି। ଆର୍ଥିକ ସଙ୍କଟ ଘୋଷଣା କରିବା ଦିନକ ପରେ ଅର୍ଥାତ ବୁଧବାର ଦିନ ‘ଗୋ ଫାଷ୍ଟ୍‌ ଏୟାର୍‌ଲାଇନ୍‌’ ହଠାତ୍‌ ବିମାନ ଚଳାଚଳ ବାତିଲ୍‌ କରିବାରୁ ଦେଶବ୍ୟାପୀ ଅନେକ ବିମାନ ବନ୍ଦରରେ ଯାତ୍ରୀମାନେ ଫସି ରହିବା ସହିତ ହତାଶ ‌ହୋଇଯାଇଥିଲେ। ବିମାନ ଚଳାଚଳ ସମ୍ପର୍କରେ ପୂର୍ବରୁ ସୂଚନା ଦିଆ ନ ଯାଇଥିବା ଅଭିଯୋଗ କରି ବହୁ ଯାତ୍ରୀ ଅ‌ସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହାଛଡ଼ା, ମେ ୧୫ ତାରିଖ ପର୍ଯ୍ୟନ୍ତ ବିମାନ ଟିକେଟ ବିକ୍ରି ସ୍ଥଗିତ ରଖାଯାଇଥିବା କଥା ମଧ୍ୟ ପୂର୍ବରୁ ‘ଗୋ ଫାଷ୍ଟ୍‌’ ଅବଗତ କରାଇଥିଲା। ଏହି ଏୟାର୍‌ଲାଇନ୍‌ର ଭବିଷ୍ୟତ ଅନିଶ୍ଚିତ ଥିବାରୁ ଆଗୁଆ ଟିକେଟ୍‌ ବୁକିଙ୍ଗ୍‌ କରିଥିବା ଯାତ୍ରୀମାନଙ୍କୁ ଟିକେଟ ବାବଦ ଅର୍ଥ ଫେରସ୍ତ ଦେବାକୁ ‘ଡିଜିସିଏ’ ନିର୍ଦେଶ ଦେଇଛି।

ଆଗରୁ ‘ଗୋ ଏୟାର୍‌’ ନାମରେ ଜଣାଶୁଣା ଦେଶର ତୃତୀୟ ବୃହତ୍‌ ଏୟାର୍‌ଲାଇନ୍‌ ‘ଗୋ ଫାଷ୍ଟ୍‌ ଏୟାର୍‌ଲାଇନ୍‌’ ତା’ ବିମାନର ତ୍ରୁଟିଯୁକ୍ତ ଇଞ୍ଜିନ୍‌ ପାଇଁ ‘ପ୍ରାଟ୍‌ ଆଣ୍ଡ୍‌ ୱିଟ୍‌ନି’ କମ୍ପାନିକୁ ଦାୟୀ କରିଛି। ଏହି ଇଞ୍ଜିନଗୁଡ଼ିକୁ ‘ଗୋ ଫାଷ୍ଟ୍‌’ ତା’ର ‘ଏୟାରବସ୍‌ ୩୨୦ ନିଓ ବିମାନ’ରେ ବ୍ୟବହାର କରୁଛି। ଏଥିଯୋଗୁଁ ‘ଗୋ ଫାଷ୍ଟ୍‌’ ବିମାନ ‘ଇଣ୍ଡିଗୋ’ ଏବଂ ‘ଏୟାର୍‌ଇଣ୍ଡିଆ’ ବିମାନ ସହିତ ପ୍ରତିଦ୍ବନ୍ଦ୍ବିତା କରିପାରୁ ନ ଥିବା କହିଛି।