ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ବିଚିତ୍ରପୁର ଓ ଉଦୟପୁର ଜଙ୍ଗଲ ଅଞ୍ଚଳରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ କରାଯାଇଛି। ସାଧାରଣତଃ ଭାରତୀୟ ଜଙ୍ଗଲଗୁଡ଼ିକରେ ଏହି ଜୀବ ଦେଖାଯାଉ ନଥିବାରୁ, ଏକାଥରକେ ୫ଟି ଅବିକଳ ବଣମଣିଷ ଭଳି ଦିଶୁଥିବା ଓରାଙ୍ଗଉଟାନଙ୍କୁ ଦେଖି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ସୁକତା ଓ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପ୍ରସାରିତ ହେବା ପରେ ଜଙ୍ଗଲ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ୫ଟି ଜୀବଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି। ପ୍ରାଥମିକ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ସେମାନଙ୍କୁ ସ୍ଥାନୀୟ ପଶୁ ଚିକିତ୍ସାଳୟକୁ ନିଆଯାଇଛି। ତେବେ ଗ୍ରାମାଞ୍ଚଳ ଜଙ୍ଗଲକୁ ଏହି ବିରଳ ଜୀବଗୁଡ଼ିକ କେଉଁଠୁ ଏବଂ କିପରି ଆସିଲେ, ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।