ସମ୍ବଲପୁର: ହୀରାକୁଦ ଡ୍ୟାମରୁ ହେବ ପ୍ରଥମ ମୌସୁମୀ ବନ୍ୟାଜଳ ନିଷ୍କାସନ l ହୀରାକୁଦ ଡ୍ୟାମର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଆସନ୍ତା ଜୁଲାଇ ୯ ତାରିଖରେ ହୀରାକୁଦରୁ ଛଡ଼ାଯିବ ବର୍ଷର ପ୍ରଥମ ବନ୍ୟାଜଳ। ଗୁରୁବାର ଦିନ ୧୧ଟାରେ ଡ୍ୟାମ୍ର ଗେଟ୍ ଖୋଲାଯିବ l ଗେଟ୍ ଖୋଲି ବନ୍ୟାଜଳ ନିଷ୍କାସନ କରାଯିବା ପରେ ଡ୍ୟାମର ତଳମୁଣ୍ଡରେ ପ୍ରବାହିତ ମହାନଦୀ ଏବଂ ଏହାର ଶାଖା ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ ବୋଲି କର୍ତ୍ତୃପକ୍ଷ ପକ୍ଷରୁ କୁହାଯାଇଛି।ଏହାକୁ ଦୃଷ୍ଟିରେ ରଖି ନଦୀକୁ ପ୍ରବେଶ, ଗାଧୋଇବା, ମାଛ ଧରିବା, ଡଙ୍ଗା ଚଳାଚଳ କିମ୍ବା ଅନ୍ୟ କୌଣସି କାର୍ଯ୍ୟ ପାଇଁ ନଦୀ ମଧ୍ୟକୁ ନ ଯିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ସମସ୍ତଙ୍କୁ ସତର୍କ ରହିବା ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଡ୍ୟାମ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ୬୦୩.୮୯ ଫୁଟ ରହିଛି। ଅନ୍ୟପକ୍ଷରେ, ଉପରମୁଣ୍ଡରୁ ବର୍ତ୍ତମାନ ପ୍ରତି ସେକେଣ୍ଡରେ ୯୩,୩୨୦ କ୍ୟୁସେକ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଉପରମୁଣ୍ଡ ଅଞ୍ଚଳରେ ଆହୁରି ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାରର ଜଳସ୍ତରକୁ ରୁଲ କର୍ଭ ଅନୁଯାୟୀ ବଜାୟ ରଖିବା ଏବଂ ବନ୍ୟା ପରିଚାଳନାକୁ ସୁଚାରୁ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।