ପ୍ରଥମେ ବାହା ହେବେ, ପରେ ଭୋଟ ଦେବେ

ଆଉ ମାତ୍ର କିଛି ଦିନ ପରେ ହେବ ୫ ରାଜ୍ୟର ନିର୍ବାଚନ । ନିର୍ବାଚନ ତାରିଖ ସହ ନିର୍ବାଚନ ଫଳ ଘୋଷଣା ତାରିଖ ମଧ୍ୟ ଘୋଷଣା ସରିଥିଲା । କିନ୍ତୁ ହଠାତ୍ ବଦଳିଲା ରାଜସ୍ଥାନ ନିର୍ବାଚନ ତାରିଖ । ନଭେମ୍ବର ୨୩ ବଦଳରେ ନଭେମ୍ବର ୨୫ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟଗ୍ରହଣ । ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ତେବେ ପୂର୍ବ ନିର୍ଦ୍ଧାରିତ ତାରିଖରେ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । କେବଳ ଭୋଟଗ୍ରହଣ ପାଇଁ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଅନ୍ୟ କୌଣସି ତାରିଖ ପରିବର୍ତ୍ତନ ହୋଇନାହିଁ ।

କିନ୍ତୁ କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଭୋଟ୍ ଗ୍ରହଣ ହୋଇପାରିବନି । ୨୩ ତାରିଖରେ ରାଜସ୍ଥାନରେ ଅନେକ ବିବାହ ଉତ୍ସବ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଥିବାରୁ ବିଭିନ୍ନ ରାଜନୈତିକ ଦଳ ନିର୍ବାଚନ ତାରିଖ ବଦଳାଇବାପାଇଁ ଇସିଙ୍କୁ ଅନୁରୋଧ କରିଥିଲେ । ଆଉ ଏହି କାରଣରୁ ନିର୍ବାଚନ ତାରିଖ ଘୁଞ୍ଚା ଯାଇଛି । ଅନ୍ୟପଟେ ଯୋଧପୁରର ବିଜେପି ସାଂସଦ ପିପି ଚୌଧରୀ କହିଛନ୍ତି, ନଭେମ୍ବର ୨୩ରେ ୫୦ ହଜାରରୁ ଅଧିକ ବିବାହ ଅଛି । ତେଣୁ ଏହାଦ୍ୱାରା ଅନେକ ଭୋଟର ଭୋଟ୍ ନଦେବାପାଇଁ ଆସିପାରନ୍ତି ଏବଂ ଭୋଟ୍ ପ୍ରତିଶତ ମଧ୍ୟ କମିପାରେ ବୋଲି ସେ କହିଛନ୍ତି । ତେଣୁ ରାଜସ୍ଥାନରେ ୨୩ ତାରିଖରେ ଭୋଟ୍ ଗ୍ରହଣ ନହୋଇ ଆଉ ୨ ଦିନ ପରେ ତଥା ୨୫ ତାରିଖରେ ଭୋଟ୍ ଗ୍ରହଣ ହେବ ବୋଲି ଇସି ଏକ ବିବୃତି ଜାରି କରି କହିଛନ୍ତି ।

ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ ନଭେମ୍ବର ୨୩ ତାରିଖରେ ଏକାଧିକ ବାହାଘର ଓ ସାମାଜିକ କାର୍ଯ୍ୟ ସବୁ ରହିଛି । ତେଣୁ ଭୋଟିଂ ଉପରେ ଏହା ପ୍ରଭାବ ପକାଇପରେ । ଭୋଟିଂ ହାର କମି ପାରେ । ତେଣୁ ଏହାକୁ ଦୃଷ୍ଟିରେ ରଖି ତାରିଖ ପରିବର୍ତ୍ତନ କରାଯାଇଛି ।