ବଦଳିଲେ ଫିରିଙ୍ଗିଆ ଥାନା IIC ତପନ କୁମାର ନାହାକ

ଫୁଲବାଣୀ: ପୋଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌ରେ ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର । ଉତ୍ୟକ୍ତ ଆନ୍ଦୋଳନକାରୀମାନେ ଫିରିଙ୍ଗିଆ ଥାନାକୁ ଜାଳି ପୋଡ଼ିଦେବା ସହିତ ଥାନା ଭିତରେ ଥିବା ବିଭିନ୍ନ ସାମଗ୍ରୀକୁ ମଧ୍ୟ ସଂପୂର୍ଣ୍ଢଭାବେ ନଷ୍ଟ କରିଦେଇଛନ୍ତି।

ଏଥି ସହିତ ପୂର୍ବରୁ ଜବତ ହୋଇ ଥାନା ଭିତରେ ଥିବା ଗଂଜେଇକୁ ମଧ୍ୟ ଆନ୍ଦୋଳନ କାରୀ ମାନେ ଜାଳିଦେବା ସହିତ ଥାନା ପରିସରରେ ଥିବା ଏକାଧିକ ଗାଡ଼ିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି। ଆନ୍ଦୋଳନ କାରୀ ମାନେ ଥାନା ମଧ୍ୟରେ ଶହ ଶହ ସଂଖ୍ୟରେ ପ୍ରବେଶ କରିଥିବା ବେଳେ ସେହି ସମୟରେ ଥାନାରେ ଦାୟିତ୍ୱରେ ଥିବା କିଛି କର୍ମଚାରୀ ମାନେ ମଧ୍ୟ ଜୀବନ ଭୟରେ ଥାନା ଛାଡ଼ି ଦୌଡ଼ିଥିଲେ। ଦୀର୍ଘ ସମୟ ଧରି ଥାନା ପରିସର ମଧ୍ୟରେ ଆନ୍ଦୋଳନକାରୀମାନେ ସେମାନଙ୍କର ଆତଙ୍କରାଜ ଚଳାଇଥିବା ବେଳେ ବହୁ ବିଳମ୍ବରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ସୁରକ୍ଷା ବାହିନୀ ପହଞ୍ଚିବା ପରେ ପରିସ୍ଥିତିକୁ ଆୟତ କରିଥିଲେ।

ଅନ୍ୟପଟେ ୧୫ରୁ ଅଧିକ ଲୋକଙ୍କୁ ଅଟକ ରଖିଛି ପୋଲିସ । ଦକ୍ଷିଣାଞ୍ଚଳ ଆଇଜି ଫିରିଙ୍ଗିଆ ଥାନା ଆସି ତଦାରଖ କରିଛନ୍ତି । ସ୍ଥିତିକୁ ନଜରରେ ରଖି ୬ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ଫିରିଙ୍ଗିଆରେ ୧୪୪ ଧାରା ଜାରି ରହିଛି । ଫିରିଙ୍ଗିଆରେ ଦୋକାନ ବଜାର ବନ୍ଦ ରହିଛି ।