ନବଜାତ ଶିଶୁ ୱାର୍ଡରେ ଲାଗିଲା ନିଆଁ, ୩ ଶିଶୁଙ୍କ ମୃତ୍ୟୁ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ସରକାରୀ ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣ ନବଜାତକଙ୍କର ମୃତ୍ୟୁ ଘଟିଛି । ମିଳିଥିବା ଖବର ଅନୁଯାୟୀ, ଡାକ୍ତରଖାନାର ନବଜାତ ଶିଶୁ ଅତିଦକ୍ଷ ଚିକିତ୍ସା କେନ୍ଦ୍ରରେ ହଠାତ୍ ଧୂଆଁ ବାହାରିବା ଆରମ୍ଭ ହୋଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁ ଦ୍ରୁତ ଗତିରେ ୱାର୍ଡ ଭିତରେ ବ୍ୟାପି ଯାଇଥିଲା । ସେହି ସମୟରେ ୱାର୍ଡରେ ଅନେକ ନବଜାତ ଶିଶୁ ଇନକ୍ୟୁବେଟର ଭିତରେ ଚିକିତ୍ସାଧୀନ ଥିଲେ । ଖବର ପାଇ ହସ୍ପିଟାଲ କର୍ମଚାରୀ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଧିକାଂଶ ଶିଶୁଙ୍କୁ କାଚ ଭାଙ୍ଗି ସୁରକ୍ଷିତ ଭାବେ ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା, ମାତ୍ର ଦୁର୍ଭାଗ୍ୟବଶତଃ ୩ ଜଣ କଅଁଳ ଶିଶୁଙ୍କୁ ବଞ୍ଚାଯାଇପାରି ନଥିଲା । ଏହି ଅଗ୍ନିକାଣ୍ଡର ମୁଖ୍ୟ କାରଣ ସର୍ଟ ସର୍କିଟ୍ ବୋଲି ସନ୍ଦେହ କରାଯାଉଛି । ୱାର୍ଡ ଭିତରେ ଥିବା ୱେର୍ମର କିମ୍ବା ଇନକ୍ୟୁବେଟରର କୌଣସି ଇଲେକ୍ଟ୍ରୋନିକ୍ ଯନ୍ତ୍ରାଂଶରୁ ନିଆଁ ବାହାରିଥିବା ଅଗ୍ନିଶମ ବିଭାଗ ଅନୁମାନ କରୁଛି । ଘଟଣା ସମ୍ପର୍କରେ ଖବର ପାଇ ଅମରାବତୀ ଜିଲ୍ଲାପାଳ ଏବଂ ବରିଷ୍ଠ ପୋଲିସ ଅଧିକାରୀମାନେ ହସ୍ପିଟାଲରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଉଦ୍ଧାର ହୋଇଥିବା ଅନ୍ୟ ନବଜାତକମାନଙ୍କୁ ସୁରକ୍ଷିତ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନ୍ୟାନ୍ୟ ଘରୋଇ ଡାକ୍ତରଖାନାକୁ ପଠାଯାଇ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଉପରେ କଡ଼ା ନଜର ରଖାଯାଇଛି । ଅନ୍ୟପଟେ ଡାକ୍ତରଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠିକ୍ ଭାବେ କାମ କରୁଥିଲା କି ନାହିଁ ଏବଂ ଏଥିରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କର କାହାର ଅବହେଳା ରହିଛି, ସେ ନେଇ ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି ।