ଭୁବନେଶ୍ୱର: ରାଜଧାନୀରେ ପୁଣି ଭୟାବହ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟର କସମେଟିକ୍ ସାମଗ୍ରୀ ଜଳିପୋଡ଼ି ଯାଇଛି । ଭୁବନେଶ୍ୱର ସିଆରପି ଛକ ନିକଟ ମହାବୀର ମାର୍କେଟ୍ କମ୍ପ୍ଲେକ୍ସରେ ଆଜି ନିଆଁ ଲାଗିଥିଲା । କୋଠାର ପ୍ରଥମ ମହଲାରେ ଥିବା ବନିତା କସମେଟିକ୍ସ ଷ୍ଟୋର୍ ଜଳିପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ପାଖରେ ଥିବା କିଛି ଦୋକାନକୁ ମଧ୍ୟ ନିଆଁ ବ୍ୟାପିଯାଇଛି । ଏକ ବୁକ ଷ୍ଟୋର୍ ଓ ଏସବିଆଇ ଏଟିଏମ କ୍ଷତିଗ୍ରସ୍ତ ହୋଇଛି । ନିଆଁର ପ୍ରକୋପରେ ବନିତା ଷ୍ଟୋରରେ ବହୁ ଦାମୀ ସାମଗ୍ରୀ ସମେତ ଗିଫ୍ଟ ସାମଗ୍ରୀ ଆଦି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ଏପରିକି ଷ୍ଟୋରକୁ ଲାଗି ମାଲିକଙ୍କର ଆଉ ଏକ ନୂଆ ଦୋକାନ ନିର୍ମାଣ ଚାଲିଥିବା ବେଳେ ତାହା ମଧ୍ୟ ଆଂଶିକ କ୍ଷତି ହୋଇଛି । ତେବେ ବନିତା ଷ୍ଟୋରରେ ସର୍ଟସର୍କିଟରୁ ଏହି ନିଆଁ ଲାଗିଥିବା ପ୍ରାଥମିକ ଯାଞ୍ଚରୁ ଅଗ୍ନିଶମ ବାହିନୀ ଜାଣିବାକୁ ପାଇଛି । କସମେଟିକ୍ସ ଷ୍ଟୋରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି । ଏଭଳି ଅଘଟଣରେ ବଡ଼ କ୍ଷତି ହେବା ପରେ ବନିତା କସମେଟିକ୍ସ ଷ୍ଟୋରର ମାଲିକ ଜିତେନ୍ଦ୍ର କୁମାର ପାଟଶାଣି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।