ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ତଥା ନିର୍ବାହୀ ଅଧିକାରୀଙ୍କୁ ହତ୍ୟା ଧମକ ଏବଂ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ଆସିକା ବିଧାୟକ ସରୋଜ ପାଢ଼ୀଙ୍କ ନାଁରେ ଲିଖିତ ଏତଲା ଦିଆଯାଇଛି। ଜଣେ ଦାୟିତ୍ୱସମ୍ପନ୍ନ ସରକାରୀ ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ ଦୁର୍ବ୍ୟବହାର କରାଯିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦିଆଯିବା ଘଟଣାକୁ ନେଇ ପ୍ରଶାସନିକ ମହଲରେ ତୀବ୍ର ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ୩ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ଆସିକା ପୌରପାଳିକାର ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଅଭାବନୀୟ ଘଟଣା ଘଟିଥିଲା। ସେହି ସମୟରେ ଜିଲ୍ଲା ପରିଷଦ ସିଡିଓ ସମୀର କୁମାର ଜେନା ପୌରପାଳିକା ଅଧ୍ୟକ୍ଷଙ୍କ ସହ ବିଭିନ୍ନ ପ୍ରଶାସନିକ ବିଷୟରେ ଆଲୋଚନା କରୁଥିଲେ। ଏହି ସମୟରେ ଆସିକା ବିଧାୟକ ସରୋଜ ପାଢ଼ୀ ପୌର ନିର୍ବାହୀ ଅଧିକାରୀଙ୍କ ସହ ପ୍ରକୋଷ୍ଠକୁ ଆସି ସେଠାରେ ଉପସ୍ଥିତ ଅନ୍ୟମାନଙ୍କୁ ବାହାରକୁ ଯିବାକୁ କହିଥିଲେ। ଏହାପରେ ରିଲିଫ୍ ସାମଗ୍ରୀ ବଣ୍ଟନ ପ୍ରସଙ୍ଗକୁ ନେଇ ସେ ସିଡିଓଙ୍କ ଉପରେ ହଠାତ୍ ଉତ୍କ୍ଷିପ୍ତ ହୋଇ ଗାଳିଗୁଲଜ କରିବା ସହ ଉତ୍ତେଜନା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।