ଭୁବନେଶ୍ୱର: ଓଲିଉଡ୍ ଚଳଚ୍ଚିତ୍ର ଜଗତରୁ ଆସିଛି ଏକ ଦୁଃଖଦ ଖବର। ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କର ୭୭ ବର୍ଷ ବୟସରେ ପରଲୋକ ଘଟିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତ ଯୋଗୁଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନା ଅନୁଯାୟୀ, ଶ୍ରୀ ସ୍ୱାଇଁ ଦୀର୍ଘ ଦିନ ଧରି ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗ ଖବର ପ୍ରସାରିତ ହେବା ପରେ ପୂରା ଓଲିଉଡ୍ ଇଣ୍ଡଷ୍ଟ୍ରି ସମେତ ପିପିଲି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସ୍ଥାନୀୟ ଅଞ୍ଚଳରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିବା ବେଳେ ବହୁ ସିନେ ପ୍ରେମୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି। ପୂର୍ବତନ ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଶୋକସଭାରେ ସାମିଲ ହୋଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ଓଡ଼ିଆ ସିନେମା ଜଗତ ପାଇଁ ରବି ସ୍ୱାଇଁଙ୍କ ଅବଦାନ ଅତୁଳନୀୟ ଏବଂ ସଦା ସ୍ମରଣୀୟ। ତାଙ୍କର ପରଲୋକ ଓଲିଉଡ୍ ପାଇଁ ଏକ ଅପୂରଣୀୟ କ୍ଷତି।” ରବି ସ୍ୱାଇଁ ଜଣେ ସଫଳ ପ୍ରଯୋଜକ ଭାବେ ଅନେକ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାଣ କରି ଓଡ଼ିଆ ସିନେମାକୁ ସମୃଦ୍ଧ କରିଥିଲେ। ତାଙ୍କ ଆତ୍ମାର ସଦ୍ଗତି ପାଇଁ ବିଭିନ୍ନ ମହଲରୁ ପ୍ରାର୍ଥନା କରାଯାଇଛି।