ରେଳ କର୍ମଚାରୀଙ୍କ ପାଇଁ ପାର୍ବଣ ଉପହାର: ୭୮ ଦିନର ବୋନସ ମଞ୍ଜୁର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଆଗାମୀ ଦଶହରା ଓ ଦୀପାବଳି ଫେଷ୍ଟିଭ୍ ସିଜିନ୍ ପୂର୍ବରୁ ରେଳବାଇ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର ଆଣିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା-ଭିତ୍ତିକ ବୋନସ ପ୍ରଦାନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସରକାରଙ୍କ ଏହି ପୂଜା ଭେଟି ଦ୍ୱାରା ଦେଶର ପ୍ରାୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ କର୍ମଚାରୀ ସିଧାସଳଖ ଉପକୃତ ହେବେ। ଏହି ବୋନସ ବାବଦରେ କେନ୍ଦ୍ର ସରକାର ମୋଟ ୨,୦୦୯ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ନିୟମାନୁଯାୟୀ ଯୋଗ୍ୟ ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍ ଆକାରରେ ସର୍ବାଧିକ ୧୭,୯୫୧ ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଦୀପାବଳି ପୂର୍ବରୁ ହିଁ ଏହି ବୋନସ୍ ରାଶି କର୍ମଚାରୀଙ୍କ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ। ଏହି ସୁବିଧା ବିଶେଷ କରି ଟ୍ରାକ୍ ମେଣ୍ଟେନର, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲ୍ପର, ପଏଣ୍ଟସମ୍ୟାନ୍, ମିନିଷ୍ଟେରିଆଲ୍ ଷ୍ଟାଫ୍ ଏବଂ ଅନ୍ୟାନ୍ୟ ଗ୍ରୁପ୍‌-C କର୍ମଚାରୀଙ୍କୁ ମିଳିବ। ଅପରପକ୍ଷରେ, ଅଣକୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ୨୧,୦୦୦ ଟଙ୍କା ଥିବାରୁ ବର୍ତ୍ତମାନର ସୀମାରେ ପରିବର୍ତ୍ତନ ଆବଶ୍ୟକ ବୋଲି ଆସୋସିଏସନ୍ ପକ୍ଷରୁ ଯୁକ୍ତି ଦର୍ଶାଯାଇଛି। ୧୮,୦୦୦ ଟଙ୍କାର ସୀମାକୁ ଆଧାର କରି ବାର୍ଷିକ ବୋନସ୍‌କୁ ଅତି କମ୍‌ରେ ୪୬,୧୮୪ ଟଙ୍କାକୁ ବୃଦ୍ଧି କରିବାକୁ ଆସୋସିଏସନ୍ ସୁପାରିସ କରିଛି।