ନଦୀକୂଳରୁ ମହିଳାଙ୍କୁ ଟାଣି ନେଲା କୁମ୍ଭୀର:ଯାଜପୁର

ଯାଜପୁର : ଜଣେ ମହିଳାଙ୍କୁ କୁମ୍ଭୀର ନଦୀ ଭିତରକୁ ଟାଣିନେଇଛି। ମହିଳା ଜଣକ ହେଉଛନ୍ତି ବରୀ ବ୍ଲକ୍‌ ବୋଦୁଅ ପଞ୍ଚାୟତ କନ୍ତିଆ ଗ୍ରାମର ସୌଦାମିନୀ ମହଲା(୫୭)। ସୂଚନା ଅନୁଯାୟୀ ସୌଦାମିନୀ ସୋମବାର ଅପରାହ୍ଣରେ ନଦୀ କୂଳକୁ ଶୌଚ ହେବାକୁ ଯାଇଥିଲେ। ସେହି ସମୟରେ ସେଠାରେ ତାଙ୍କୁ ଏକ କୁମ୍ଭୀର ଟାଣି ନେଇଥିଲା । ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ନଦୀ କୂଳରେ ପହଞ୍ଚି ହୋହଲ୍ଲା କରିଥିଲେ। ହେଲେ କୁମ୍ଭୀର ସୌଦାମିନୀଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା। କୁମ୍ଭୀର ସୌଦାମିନୀଙ୍କୁ ବୁଡ଼ାଇ ମାରୁଥିବା ବେଳେ ସୌଦାମିନୀଙ୍କୁ ବଞ୍ଚାଇବାକୁ କେହି ସାହସ ଜୁଟାଇ ପାରିନଥିଲେ। ଜିଲ୍ଲାର ବିଭିନ୍ନ ନଦୀରେ ଏବେ ପାଣି କମ୍‌ ଥିଲେ ମଧ୍ୟ କୁମ୍ଭୀରମାନଙ୍କ ଆତଙ୍କ ଦେଖାଦେଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ନଦୀ ଭିତରକୁ ନଯିବାକୁ ସଚେତନ କରାଯାଉଥିଲେ ମଧ୍ୟ ନଦୀକୂଳିଆ ଲୋକଙ୍କ ଅସାବଧାନତା ତଥା ଜୀବନଜୀବିକା ପାଇଁ ନଦୀ ଉପରେ ନିର୍ଭର କରୁଥିବା ବେଳେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ତେବେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।