ଜମ୍ମୁ-କଶ୍ମୀରରେ ଏକାକୀ ନିର୍ବାଚନ ଲଢ଼ିବେ ଫାରୁକ୍‌ ଅବଦୁଲ୍ଲା

ଜମ୍ମୁ: ଆଗାମୀ ଲୋକସଭା ନିର୍ବାଚନରେ ତାଙ୍କ ଦଳ ସମସ୍ତ ଆସନରେ ଏକାକୀ ଲଢ଼ିବ ଏବଂ ଭବିଷ୍ୟତରେ ସେ ପୁଣି ଥରେ ବିଜେପି ନେତୃତ୍ୱାଧୀନ ଏନଡିଏରେ ଯୋଗ ଦେଇପାରନ୍ତି ବୋଲି ସଙ୍କେତ ଦେଇଛନ୍ତି ନ୍ୟାସନାଲ କନଫରେନ୍‌ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା।

ଜାତୀୟ ସ୍ତରର ସମ୍ବାଦ ପତ୍ରିକା ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଫାରୁକ ଅବଦୁଲ୍ଲା କହିଛନ୍ତି ଯେ ନ୍ୟାସନାଲ କନଫରେନ୍‌ସ ଅନ୍ୟ ରାଜନୈତିକ ଦଳସହ ମେଣ୍ଟ ନକରି ନିଜର ଯୋଗ୍ୟତା ଆଧାରରେ ନିର୍ବାଚନ ଲଢ଼ିବ। ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କିନ୍ତୁ ଏନଡିଏକୁ ଫେରିବାର ସମ୍ଭାବନାକୁ ଏଡ଼ାଇ ଦେଇ ନାହାନ୍ତି। ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ ନ୍ୟାସନାଲ କନଫରେନ୍‌ସ ଏନଡିଏର ଅଂଶ ଥିଲା ବୋଲି ସେ କହିଛନ୍ତି।

ଜମ୍ମୁ-କଶ୍ମୀରର ବରିଷ୍ଠ ନେତା ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ‘ଇଣ୍ଡିଆ’ ମେଣ୍ଟ ସହଯୋଗୀଙ୍କ ସହ ଆସନ ବୁଝାମଣା ବିଫଳ ହୋଇଛି। ‘ସିଟ୍‌ ବୁଝାମଣା ପ୍ରସଙ୍ଗରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ନ୍ୟାସନାଲ କନଫରେନ୍‌ସ ନିଜ ବଳରେ ନିର୍ବାଚନ ଲଢ଼ିବ। ଏହାକୁ ନେଇ କୌଣସି ପ୍ରକାରର ଦ୍ୱିମତ ନାହିଁ’ ବୋଲି ଅବଦୁଲ୍ଲା ଗଣମାଧ୍ୟମକୁ କହିଛନ୍ତି।

ଗତ ମାସରୁ ‘ଇଣ୍ଡିଆ’ ମେଣ୍ଟ ଓ ନ୍ୟାସନାଲ କନଫରେନ୍‌ସ ମଧ୍ୟରେ ଫାଟ ଦେଖିବାକୁ ମିଳୁଛି। ଜାନୁଆରିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅବଦୁଲ୍ଲା କହିଥିଲେ ଯେ ଯଦି ଶୀଘ୍ର ଆସନ ବୁଝାମଣା ଫର୍ମୁଲା ସ୍ଥିର କରା ନଯାଏ ତେବେ କିଛି ବିରୋଧୀ ଦଳ ଅଲଗା ମେଣ୍ଟ ଗଠନ କରିପାରନ୍ତି। ଗତ ମାସରେ ଜମ୍ମୁ ଅଞ୍ଚଳର ନ୍ୟାସନାଲ କନଫରେନ୍‌ସ (ଏନସି)ର ଅନେକ ଶୀର୍ଷ ନେତା ବିଜେପିରେ ଯୋଗ ଦେଇଥିଲେ।

ପାଖାପାଖି ୨୫ଟି ଦଳକୁ ନେଇ ଗଠିତ ‘ଇଣ୍ଡିଆ’ ମେଣ୍ଟ ନିଜର ଆଞ୍ଚଳିକ ସହଯୋଗୀ ଦଳମାନଙ୍କ ସହ ଆସନ ବୁଝାମଣା ନେଇ ସହମତିରେ ପହଞ୍ଚିବା କଷ୍ଟକର ହୋଇପଡ଼ିଛି।

ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପଞ୍ଜାବ ଓ ଚଣ୍ଡିଗଡ଼ର ସମସ୍ତ ୧୪ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିବାର କିଛି ଦିନ ପରେ ମେଣ୍ଟକୁ ଏହି ନୂଆ ଝଟକା ଲାଗିଛି। ଦିଲ୍ଲୀରେ ଦଳ କଂଗ୍ରେସକୁ ୭ଟି ଲୋକସଭା ଆସନ ମଧ୍ୟରୁ ମାତ୍ର ଗୋଟିଏ ଆସନ ଅଫର ଦେଇଛି।

ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳ ଏକାକୀ ଲୋକସଭା ନିର୍ବାଚନ ଲଢ଼ିବ ବୋଲି କହିବାର କିଛି ସପ୍ତାହ ପରେ ଆପ୍‌ ଏହି ଘୋଷଣା କରିଛି ଏବଂ ତାଙ୍କ ଆସନ ବୁଝାମଣା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ କଂଗ୍ରେସକୁ ଦାୟୀ କରିଛି।

POLITICS