ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ: କେନ୍ଦ୍ର କୃଷି ମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଭାଗର ବରିଷ୍ଠ ଅଧିକାରୀ ଓ କୃଷି ବୈଜ୍ଞାନିକମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଲାଗି ଆଜି ଠାରୁ ସାରା ଦେଶରେ ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ ହେଉଛି। ଦେଶର ୨ହଜାର ୧୭୦ଟି ସ୍ଥାନରେ କୃଷି ବୈଜ୍ଞାନିକ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଚାଷୀଙ୍କ ସହ ମତବିନିମୟ କରୁଛନ୍ତି । ସେମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଛନ୍ତି। ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦର ଦେଶର କୃଷି କ୍ଷେତ୍ର ଅଧିକ ସମୃଦ୍ଧ ହେଉ ବୋଲି କାମନା କରି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ, ଦେଶର ଚାଷୀମାନେ କେବଳ ଅନ୍ନଦାତା ନୁହନ୍ତି ସେମାନେ ଜୀବନଦାତା ମଧ୍ୟ। ଚାଷୀମାନେ ଦେଶର ଖାଦ୍ୟାନ୍ନ ଭଣ୍ଡାର ଭରୁଛନ୍ତି। ଚାଷୀମାନଙ୍କ ଘର ମଧ୍ୟ ଯେପରି ଖାଲି ନରହିବ, କୃଷି ଲାଭଜନକ ବେଉସା ହେବ ଏବଂ ସେମାନେ ନିଜ ଫସଲର ଲାଭଜନକ ମୂଲ୍ୟ ପାଇପାରିବେ ସେଥିପାଇଁ ପଦକ୍ଷେପ ନିଆଯାଉଛି। ଆଜି ଦେଶରେ ରେକର୍ଡ ପରିମାଣର ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଛି। ଧାନ, ଗହମ ହେଉ କିମ୍ବା ମକା, ସବୁ ଖାଦ୍ୟ ଶସ୍ୟ ଦେଶରେ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି। ତେବେ ଏତିକିରେ ସୀମିତ ନରହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ବିଶ୍ୱର ଖାଦ୍ୟ ଭଣ୍ଡାର ହେବା ଦିଗରେ ପ୍ରୟାସରତ ରହିଛି। ଦେଶର ୧୪୫ କୋଟିରୁ ଅଧିକ ଲୋକଙ୍କ ପେଟ ଭରିବା ସହିତ ବିଶ୍ୱର ଅନ୍ୟ ରାଷ୍ଟ୍ରକୁ ଖାଦ୍ୟଶସ୍ୟ ଓ ପନିପରିବା ପଠାଇବା ଲାଗି ଦେଶର ଚାଷୀଙ୍କୁ ସକ୍ଷମ କରିବାକୁ ହେବ ବୋଲି ଶ୍ରୀ ଚୌହାନ କହିଥିଲେ ।

Farmers of the country are not only breadwinners