ଗଞ୍ଜାମ: ଧରାପଡିଲେ ଦଶମ ଫେଲ ଡାକ୍ତର। ଏମିତି ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁରରେ। ଗଞ୍ଜାମ ଆର୍ଯ୍ୟପଲ୍ଲୀରୁ ଏହି ବଙ୍ଗାଳୀ ଡାକ୍ତରଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ଦେଢ଼ ବର୍ଷ ଧରି ରୋଗୀ ସେବା କରିବା ପରେ ଡ଼ାକ୍ତରଙ୍କୁ ଗିରଫ କରିଛି ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ପୋଲିସ। ଦେଢ ବର୍ଷ ହେଲା ବେକରେ ଷ୍ଟେଥସ୍ ସ୍କୋପ ପକାଇ ଠକି ଆସୁଥିଲେ ରୋଗୀଙ୍କୁ। ଗିରଫ ନକଲି ଡାକ୍ତରଙ୍କ ନାମ ହେଉଛି ପ୍ରସନ୍ନଜିତ୍ ସରକାର। ଆର୍ଯ୍ୟପଲ୍ଲୀର ଗାନ୍ଧୀ ଛକ ଠାରେ ପ୍ରସନ୍ନଜିତ୍ ସରକାର ନାମକ ଜଣେ ଯୁବକ ବେଆଇନ ଭାବେ କ୍ଲିନିକ କରିଥିବା ଜାଣିବାକୁ ପାଇଥିଲା ପୋଲିସ । ତାଙ୍କ ନାମରେ ଅଭିଯୋଗ ଆସିବା ପରେ ସାମୁଦ୍ରିକ ଥାନା ସାନ ଆର୍ଯ୍ୟପଲ୍ଲୀ ଓ ବଡ଼ ଆର୍ଯ୍ୟପଲ୍ଲୀରେ ଚଢ଼ାଉ କରିଥିଲା ଚଢାଉ ବେଳେ ଜଣାପଡିଥାଲା ସମ୍ପୃକ୍ତ ଡାକ୍ତର ଜଣକ ବିନା ଲାଇସେନ୍ସରେ କ୍ଲିନିକ୍ କରିଛନ୍ତି । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଫେଲ ।
ଗତ କିଛି ବର୍ଷ ହେଲା ପଶ୍ଚିମବଙ୍ଗରୁ ଆସି ଆର୍ଯ୍ୟପଲ୍ଲୀରେ କ୍ଲିନିକ ଖୋଲି ରୋଗୀ ସେବା କରୁଥିଲେ । ପୋଲିସ ପ୍ରସନ୍ନଜିତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ବିପୁଳ ପରିମାଣର ମେଡ଼ିସିନ ଜବତ କରିଛି। ପ୍ରସନ୍ନଜିତଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ପୋଲିସ ସୂଚନା ଦେଇଛି। ଖାଲି ଆର୍ଯ୍ୟପଲ୍ଲୀ ନୁହେଁ ଗଞ୍ଜାମ ଖଲ୍ଲିକୋଟ ଏବଂ ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ଛାଇ ଗଲେଣି ଏହି ନକଲି ଡାକ୍ତର। କିଏ କିଏ ବାହାର ରାଜ୍ୟରୁ ଆସି ନିଜକୁ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଛନ୍ତିତ କେଉଁଠି ଲୋକାଲ ଲୋକ ଡାକ୍ତର ସାଜି ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି। ଏହି ନକଲି ଡାକ୍ତରମାନେ ରୋଗୀଙ୍କର ଛୋଟ ଛୋଟ ଅପେରେସନ୍ କରିବା ସହ, ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କ ନିକଟରେ ଡାକ୍ତରୀ ପ୍ରମାଣପତ୍ର ଅଛି କି ନାହିଁ, ଯଦି ଅଛି ତାହା ଅସଲି କି ନକଲି ତାହାର ଯାଞ୍ଚ ସମେତ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି । ତେବେ ଯଦି ପ୍ରଶାସନ ବେଳ ଥାଉ ଥାଉ ସଚେତନ ନହେବ ତେବେ ନକଲି ଡାକ୍ତରଙ୍କ ଚିକିତ୍ସାରେ ମୂଲ୍ୟବାନ ଜୀବନ ମଧ୍ୟ ଚାଲିଯିବ।