ମହାନଦୀ ରେ ମାଧ୍ୟମ ଧରଣ ର ବନ୍ୟା ପରିସ୍ଥିତି ଉପୁଜି ପାରେ :SRC

ରାଜ୍ୟ ରେ ଗତ କିଛିଦିନ ଧରି ଲଘୁଚାପ ବର୍ଷା ଜାରି ରହିଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ହୀରାକୁଦ ଉପର ମୁଣ୍ଡରେ ଲାଗି ରହିଛି ବର୍ଷା । ଗତକାଲି ଠାରୁ ଆଜି ଭିତରେ ହୀରାକୁଦର ୧୮ଟି ଗେଟ୍‌ ଖୋଲାଯାଇ ବନ୍ୟାଜଳ ନିଷ୍କାସନ କରାଯାଉଛି ।ସେ କହିଛନ୍ତି ଯେ, ବନ୍ୟା ମୁକାବିଲା ପାଇଁ ଜଳସଂପଦ ବିଭାଗର ସମସ୍ତ କର୍ମଚାରୀ ତତ୍ପର ଅଛନ୍ତି ।ତେବେ ଏଥିପାଇଁ ମହାନଦୀ ଅବବାହିକାରେ ବିଶେଷ କ୍ଷତି ହେବ ନାହିଁ I ହୀରାକୁଦ ଜଳଭଣ୍ଡାରର ଜଳସ୍ତରକୁ ୬୨୮ ଫୁଟ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ବଳକା ଜଳକୁ ନିଷ୍କାସନ କରିବାକୁ ଅଧିକ ଗେଟ୍ ଖୋଲାଯିବା ଆବଶ୍ୟକ I

ଏବେ ୧୩ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଅଧିକ ଗେଟ ଖୋଲାଯିବା ପରେ ମୁଣ୍ଡୁଳିଠାରେ ଘଣ୍ଟାପ୍ରତି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ଲଗାଣ ବର୍ଷା ଯୋଗୁଁ ରାଜ୍ୟର ୨୧ଟି ଜିଲ୍ଲା ପ୍ରଭାବିତ ହୋଇଛି । ପ୍ରାୟ ୨୦ ଲକ୍ଷ ୪୮ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଓ ୩୮୪୮ଟି ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ୧ ଲକ୍ଷ ୨୨ ହଜାର ୪୫୮ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି । ବର୍ଷା କମିଥିବାରୁ ବଂଶଧାରା, ରୁଷକଲ୍ୟା ନଦୀର ଜଳସ୍ତର ହ୍ରାସ ପାଉଛି । ସେହିପରି ବାଲେଶ୍ୱର ଜିଲ୍ଲାର ମଥାନୀଠାରେ ଜଳକା ନଦୀର ଜଳସ୍ତର ୬.୬୪ ମିଟରରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫.୫୦ ମିଟର ରହିଛି । ଆଖୁଆପଦାରେ ବୈତରଣୀ , ବ୍ରାହ୍ମଣୀ , ଆଦି ନଦୀ ରେ ବିପଦ ସଂକେତ ଉପରେ ଜଳ ପ୍ରବାହିତ ହେଉଥିଲେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ ।

ସେହିପରି ଲଗାଣ ବର୍ଷା ପରେ ରାଜ୍ୟରେ ଥିବା ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବୋଲି ସୂଚନା ଦେଇଛନ୍ତି ଏସଆରସି ।

Comments (0)
Add Comment