ରେଳ କର୍ମଚାରୀଙ୍କ ପାଇଁ ୧୪% ମହଙ୍ଗା ଭତ୍ତା ବୃଦ୍ଧି ହେଲା

ଦେଶରେ ମହଙ୍ଗା ମାଡ଼ ରେ ଖାଉଟି ହନ୍ତସନ୍ତ ହେଉଥିବାବେଳେ ରେଳ ବିଭାଗର କର୍ମଚାରୀଙ୍କ ବୃଦ୍ଧି ହୋଇଛି ମହଙ୍ଗା ଭତ୍ତା। ରେଲୱେ ବୋର୍ଡ ପକ୍ଷରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୧୪ ପ୍ରତିଶତ ବଢ଼ାଇ ଦିଆଯାଇଛି। ଏହି ଭତ୍ତା ବଢ଼ିବା ପରେ ସାରା ଦେଶର ଲକ୍ଷ ଲକ୍ଷ ରେଳ ବିଭାଗର କର୍ମଚାରୀ ଉପକୃତ ହେବେ।
ରେଲୱେ କର୍ମଚାରୀଙ୍କ ପାଇଁ ସବୁଠୁ ଖୁସିର କଥା ହେଉଛି ମହଙ୍ଗା ଭତ୍ତା ସହ ବକେୟା ବି ମିଳିବ। ୧୪ ପ୍ରତିଶତ ଡିଏ ବର୍ଦ୍ଧିତ ୧୦ ମାସର ଏରିୟର ସହ ଆସିବ। ରେଲୱେ ବୋର୍ଡ ପକ୍ଷରୁ ୨ ଭାଗରେ ଡିଏ ବୃଦ୍ଧି ପାଇଁ ଘୋଷଣା କରାଯାଛି। ୬ଷ୍ଠ ବେତନ କମିଶନ ଅଧୀନରେ କାମ କରୁଥିବା ସବୁ କର୍ମଚାରୀଙ୍କୁ ୭-୭ ପ୍ରତିଶତରେ ଏହି ମହଙ୍ଗା ଭତ୍ତା ମିଳିବ।

ଏହି ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ରୁ ପିଛିଲା ଭାବେ ୭ ପ୍ରତିଶତ ଓ ୧ ଜାନୁଆରୀ ୨୦୨୨ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି। ଏବେ ରେଳ ବିଭାଗର କର୍ମଚାରୀଙ୍କୁ ୬ଷ୍ଠ ବେତନ କମିଶନରେ ୧୮୯ ପ୍ରତିଶତ ଡିଏ ମିଳୁଛି। ମହଙ୍ଗା ଭତ୍ତା ବଢ଼ିବା ପରେ ସେମାନଙ୍କୁ ଅଧିକ ୭ ପ୍ରତିଶତ ଅର୍ଥାତ୍‌ ୧୯୬ ପ୍ରତିଶତ ମହଙ୍ଗା ଭତ୍ତା ମିଳିବ। ସେହିପରି ୧ ଜାନୁଆରୀ ୨୦୨୨ରୁ ପୁଣି ୭ ପ୍ରତିଶତ ବଢ଼ିବା ପରେ ଏହା ୨୦୩ ପ୍ରତିଶତ ହୋଇଯିବ। ଏହି ବର୍ଦ୍ଧିତ ବେତନ କର୍ମଚାରୀଙ୍କୁ ମେ’ ମାସର ଦରମା ସହ ମିଳିବ। ଅର୍ଥାତ୍‌ ଏହି ମାସରେ ରେଳ ବିଭାଗର କର୍ମଚାରୀଙ୍କୁ ଦରମା ବାଦ୍‌ ୧୦ ମାସର ବକେୟା ବି ଦିଆଯିବ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ୩୦ ମାର୍ଚ୍ଚ ୨୦୨୨ରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)ର ଏକ ଅତିରିକ୍ତ କିସ୍ତି ଓ ପେନ୍‌ସନଭୋଗୀଙ୍କୁ ଡିୟରନେସ୍‌ ରିଲିଫ୍‌ (DR)ର ଏକ ଅତିରିକ୍ତ କିସ୍ତି ଜାରି କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ।