ପଶ୍ଚିମବଙ୍ଗ:ଦକ୍ଷିଣ କୋଲକାତାର ଅଲିପୁରସ୍ଥିତ ଏକ ବହୁମହଲା ସରକାରୀ ବିଲ୍ଡିଂରେ ଗତ ବୁଧବାର ଦିନ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାୟ ୪,୦୦୦ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM) ଜଳି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ, ଯେଉଁ ୯ ମହଲା ବିଶିଷ୍ଟ ବିଲ୍ଡିଂରେ ନିଆଁ ଲାଗିଥିଲା, ସେଠାରେ ଦକ୍ଷିଣ ୨୪ ପରଗଣା ଜିଲ୍ଲା ପରିଷଦ କାର୍ଯ୍ୟାଳୟ ସମେତ ଅନ୍ୟ କେତେକ ସରକାରୀ ବିଭାଗ ରହିଥିଲା। ରାଜ୍ୟ ଅଗ୍ନିଶମ ଓ ଜରୁରୀକାଳୀନ ସେବା ମନ୍ତ୍ରୀ କୌଶିକ ଚୌଧୁରୀ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଗଣମାଧ୍ୟମକୁ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଅଗ୍ନିକାଣ୍ଡରେ ପ୍ରାୟ ୪,୦୦୦ ଇଭିଏମ୍ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମସ୍ତ ଇଭିଏମ୍ ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ପ୍ରାୟ ୧୦ଟି ନିର୍ବାଚନ ମଣ୍ଡଳୀରେ ବ୍ୟବହୃତ ହୋଇଥିଲା।ଅଗ୍ନିକାଣ୍ଡ ସ୍ଥଳର ସ୍ଥିତି ସମୀକ୍ଷା କରିବା ପରେ ମନ୍ତ୍ରୀ କୌଶିକ ଚୌଧୁରୀ ଏହା ପଛରେ କୌଣସି ଅଘଟଣ ରହିଥିବା ଆଶଙ୍କା କରିଛନ୍ତି। ସେ କହିଛନ୍ତି ଯେ, ନିଆଁ ପ୍ରଥମେ ବିଲ୍ଡିଂର ଦ୍ୱିତୀୟ ଏବଂ ତୃତୀୟ ମହଲାରେ ଦେଖାଯାଇଥିଲା। କିନ୍ତୁ ଏହା ହଠାତ୍ କେମିତି ନବମ ଏବଂ ଦଶମ ମହଲା ପର୍ଯ୍ୟନ୍ତ ବ୍ୟାପିଗଲା, ତାହା ବୁଝାପଡ଼ୁ ନାହିଁ। ଏହି ଘଟଣାର ପ୍ରକୃତ ସତ୍ୟାସତ୍ୟ ଜାଣିବା ପାଇଁ ସେ ବର୍ତ୍ତମାନ ଫୋରେନ୍ସିକ ରିପୋର୍ଟକୁ ଅପେକ୍ଷା କରିଛନ୍ତି। ଅନ୍ୟପକ୍ଷରେ, ପୋଲିସ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରି ତଦନ୍ତ ଆରମ୍ଭ କରିଛି l