ଅପସ୍ମାର ରୋଗର ଚିକିତ୍ସା ସମ୍ଭବ: କିମ୍‌ସ ବିଶେଷଜ୍ଞ

ଭୁବନେଶ୍ୱର: ଅପସ୍ମାର ବା ଏପିଲେପ୍‌ସିକୁ ନେଇ ଅନେକ ଲୋକଙ୍କ ମଧ୍ୟରେ ଭୁଲ ଧାରଣା ରହିଛି । ଅପସ୍ମାରକୁ ଏକ ମାନସିକ ରୋଗ ବୋଲି ଅନେକଙ୍କର ଧାରଣା ରହିଛି । ମାତ୍ର ଏହା ଏକ ସ୍ନାୟୁ ଜନିତ ରୋଗ ବୋଲି କିମ୍‍ସ ଭୁବନେଶ୍ୱରର  ସ୍ନାୟୁରୋଗ ବିଶେଷଜ୍ଞ ତଥା ଆସୋସିଏଟ୍ ପ୍ରଫେସର ଡା. ସନ୍ତୋଷ କୁମାର ଦାଶ କହିଛନ୍ତି । ଡା. ଦାଶ କହିଛନ୍ତି, ପୂର୍ବରୁ ଲୋକମାନେ ଏହି ରୋଗକୁ ଲୁଚାଇ ଗୁଣିଗାରେଡ଼ି ଆଦି ମାଧ୍ୟମରେ ଚିକିତ୍ସା କରାଉଥିଲେ । ବର୍ତ୍ତମାନ ବିଶ୍ୱର ପ୍ରାୟ ୬.୫ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବା ବେଳେ ମୋଟ ରୋଗୀଙ୍କ ୨୦ ପ୍ରତିଶତ ଲୋକ ଭାରତରେ ଅଛନ୍ତି ବୋଲି ଡା. ଦାଶ ସୂଚନା ଦେଇଛନ୍ତି । ଡା. ଦାଶ କହିଛନ୍ତି, ଏହି ରୋଗ ନବଜାତକଙ୍କଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସବୁ ବୟସର ଲୋକଙ୍କୁ ଆକ୍ରାନ୍ତ କରିପାରେ ।
ବର୍ତ୍ତମାନ କିମ୍‍ସ-ଭୁବନେଶ୍ୱରରେ ଏହି ରୋଗର ଅତ୍ୟାଧୁନିକ ଚିକିତ୍ସା ସୁବିଧା ପ୍ରଦାନ ଉପରେ ସୂଚନା ଦେଇ ଡା. ଦାଶ କହିଲେ, ବର୍ତ୍ତମାନ ସମୟରେ ଏହି ରୋଗ ପାଇଁ ଆଣ୍ଟି-ଏପିଲେପ୍‌ଟିକ୍ ଔଷଧ ଏବଂ ଅସ୍ତ୍ରୋପଚାର ଆଦି ଚିକିତ୍ସା ପଦ୍ଧତି ଉବଲବ୍ଧ ରହିଛି । ତେଣୁ ଏହି ରୋଗକୁ ନ ଲୁଚାଇ ଏହି ରୋଗର ଲକ୍ଷଣ ଦେଖାଯିବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କିମ୍‌ସ ସ୍ନାୟୁରୋଗ ବିଶେଷଜ୍ଞ ତଥା ଆସୋସିଏଟ୍ ପ୍ରଫେସର ଡା. ସନ୍ତୋଷ କୁମାର ଦାଶ କହିଛନ୍ତି ।
ମସ୍ତିଷ୍କରେ ରକ୍ତବାହୀ ନଳୀଗୁଡ଼ିକ ଅସ୍ୱାଭାବିକ ଭାବରେ ଗଠିତ ହୋଇଥିଲେ, ମସ୍ତିଷ୍କର ସୂକ୍ଷ୍ମସ୍ନାୟୁ ଜୀବାଣୁ ବା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେଲେ ଓ ଶରୀରର ଅନ୍ୟ କେତେକ ବିଭ୍ରାନ୍ତି ଯଥା ଅତ୍ୟଧିକ ମଦ୍ୟପାନ, ନିଶା ସେବନ, ଅମ୍ଳଜାନର ଅଭାବ ଇତ୍ୟାଦି ଅପସ୍ମାର ରୋଗର କାରଣ ହୋଇପାରେ । ଏହି ରୋଗ ହେଲେ ବାରମ୍ବାର ବାତ ମାରିବା ଆଶଙ୍କା ଥାଏ । ଏହି ସମୟରେ ଜିଭର ଅଗ୍ରଭାଗ ବା ତାହାର ଦୁଇ ପାଶ୍ୱର୍ କାମୁଡ଼ି ହୋଇଯାଏ । ଏହି ରୋଗର ଦୁଇଟି ପ୍ରମୁଖ କାରଣ ହେଲା ମସ୍ତିଷ୍କରେ ଆଘାତ କିମ୍ବା ଷ୍ଟ୍ରୋକ୍ ବା ମସ୍ତିଷ୍କ ସଂକ୍ରମଣ ଏବଂ ମସ୍ତିଷ୍କ ଟ୍ୟୁମର ।
ସାଧରଣତଃ ଲୋକମାନେ ଅପସ୍ମାର ରୋଗର ପ୍ରାରମ୍ଭିକ ସ୍ଥିତିରେ ଚିକିତ୍ସା କରିନଥାନ୍ତି । ଚିକିତ୍ସାରେ ବ୍ୟବଧାନ ଘଟିଲେ ରୋଗୀକୁ ଅଧିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସମୟ ଥାଉଥାଉ ରୋଗର ଚିକିତ୍ସା କରାଯାଇପାରିଲେ ଏହି ରୋଗରେ ଆକ୍ରାନ୍ତ ବ୍ୟକ୍ତି ଠିକ୍ ହୋଇପାରିବେ ବୋଲି ଡା. ଦାଶ କହିଛନ୍ତି । ଏହି ଧାରଣାକୁ ଦୂରକରିବା ଓ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ୨୬ ତାରିଖକୁ ବିଶ୍ୱବ୍ୟାପୀ ‘ପର୍ପଲ ଡେ’ ବା ଅପସ୍ମାର ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ । ଏହି ଦିବସ ଉପଲକ୍ଷେ କିମ୍‍ସର ବିଶେଷଜ୍ଞମାନେ ଅପସ୍ମାର ରୋଗର ଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ପାଇଁ ବାର୍ତ୍ତା ଦେଇଛନ୍ତି ।