ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମଲେଖା : ବିଜେବି କଲେଜରେ ୮ ଛାତ୍ରଛାତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ରାଜଧାନୀର ବିଜେବି ସ୍ଵୟଂଶାସିତ ମହାବିଦ୍ୟାଳୟରେ ୮ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ଅଭିଯୋଗ ଆସିଛି I ତିନି ବର୍ଷରେ ୮ ଛାତ୍ରଛାତ୍ରୀ ଆଡମିସନ କରିଥିବା ନେଇ ବଡ଼ଗଡ଼ ଥାନାରେ ଏତଲା ଦେଲେ ବିଜେବି କଲେଜ କର୍ତ୍ତୃପକ୍ଷ ।
ମିଳିଥିବା ସୂଚନା ଅନୁଯାୟୀ, ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁସାରେ ବିଜେବି କଲେଜ କର୍ତ୍ତୃପକ୍ଷ ଏ ନେଇ ଯାଞ୍ଚ୍ କରିଥିବା ବେଳେ ୮ ଜଣ ପିଲାଙ୍କ ଦିବ୍ୟାଙ୍ଗ ସାର୍ଟିଫିକେଟ ଜାଲ୍ ଥିବା ଜଣାପଡ଼ିଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି କଲେଜ ଅଧ୍ୟକ୍ଷ ଦାୟିତ୍ବରେ ଥିବା ନିରଞ୍ଜନ ମିଶ୍ର । ତେବେ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ ଜଣ କଳା ବିଭାଗର ହୋଇଥିବା ବେଳେ ଅନ୍ୟ ୪ ବିଜ୍ଞାନ ବିଭାଗର ଅଟନ୍ତି।
ବିଜେବି କଲେଜ କର୍ତ୍ତୃପକ୍ଷ ଏ ବାବଦରେ ଉଚ୍ଚଶିକ୍ଷା ବିଭାଗକୁ ଅବଗତ କରିଛନ୍ତି। ସେହିପରି ନକଲି ଦିବ୍ୟାଙ୍ଗ କାଗଜପତ୍ର ଦେଇ ନାମଲେଖାଇ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅଧିକାଂଶ କଟକର ରହିଛନ୍ତି। ପୂର୍ବରୁଭଦ୍ରକ ରେ ମଧ୍ୟ ଏଇଭଳି ଘଟଣା ସାମ୍ନାକୁ ଆସିଥିଲା Iତେଣୁ ଏହି ରାକେଟ୍ କଟକରୁ ଅପରେଟ୍ ହେଉଥିବା ଚର୍ଚ୍ଚା ହେଉଛି । ସେପଟେ ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ଆଇପିସି ଦଫା ଲଗାଇଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ?ବଡ଼ଗଡ଼ ଥାନା ପୁଲିସ ତଦନ୍ତ କରିବା ପରେ ବଡ଼ଧରଣର ରାକେଟ୍ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି।