ରାଜଧାନୀରେ ନିଶା ମାଫିଆକୁ ଏନ୍ କାଉଣ୍ଟର

ଭୁବନେଶ୍ୱର:ଦୁର୍ଦ୍ଦାନ୍ତ ଅପରାଧୀ ତଥା ଡ୍ରଗ୍ସ ଡିଲର୍ ପୁପୁନ ମାଝୀକୁ ଏନକାଉଣ୍ଟର କଲା ସ୍ପେଶାଲ କ୍ରାଇମ ୟୁନିଟ୍। ଇନ୍ଫୋଭାଲି ଅଞ୍ଚଳରେ ପୁପୁନ୍ ସହ ପୋଲିସ ମୁହାମୁହିଁ ହୋଇଥିଲା। ପୋଲିସକୁ ଗୁଳି କରି ଖସି ଯାଉଥିବା ବେଳେ ସ୍ପେସାଲ କ୍ରାଇମ୍ ୟୁନିଟ୍ କବଳରୁ ବର୍ତ୍ତି ପାରି ନଥିଲା ପୁପୁନ୍। ତା ପାଖରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ।ତା ସହିତ ଗୋଟିଏ ପିସ୍ତଲ ୫ ରାଉଣ୍ଡ ଅଫୁଟା ଗୁଳି ଓ ବାଇକ ମଧ୍ୟ ଜବତ କରାଯାଇଛି।ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପପୁନ ଦୀର୍ଘଦିନ ହେବ ବ୍ରାଉନସୁଗାର କାରବାରରେ ଲିପ୍ତ ରହିଥିଲା । ବିଭିନ୍ନ ରାଜ୍ୟରୁ ବ୍ରାଉନ୍‌ସୁଗାର ଆଣି ଲୋକାଲ ଡିଲରମାନଙ୍କୁ ଦେଉଥିଲା । ଏପରିକି ବଡ଼ ବଡ଼ ନିଶା ବେପାରୀଙ୍କ ସହ ମଧ୍ୟ ତାର ଘନିଷ୍ଠ ସମ୍ପର୍କ ରହିଥିଲା। ପୂର୍ବରୁ ସେ ଏକାଧିକଥର ଜେଲ ଯାଇଥିଲେ ହେଁ ଧଳାଜହର କାରବାର ବନ୍ଦ କରୁ ନ ଥିଲା । କିଛିଦିନ ହେବ ପପୁନ ବଡ଼ ପରିମାଣର ବ୍ରାଉନସୁଗର କାରବାର କରୁଥିବା ଓ ଭୁବନେଶ୍ବରର ସ୍ଥାନୀୟ ବେପାରୀଙ୍କୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସୂଚନା ପାଇ ସ୍ପେଶାଲ କ୍ରାଇମ ୟୁନିଟ୍ ତା ଉପରେ କଡ଼ା ନଜର ରଖୁଥିଲା । ମଙ୍ଗଳବାର (ମେ 26) ବିଳମ୍ବିତ ରାତିରେ ପୋଲିସ ଟିମ୍ ପପୁନକୁ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ପାଇ ଅଟକାଇବାକୁ ଚେଷ୍ଟା କରିଥିଲା। ହେଲେ ସେ ପୋଲିସକୁ ଚକ୍‌ମା ଦେଇ ସେଠାରୁ ଦ୍ରୁତଗତିରେ ବାଇକ୍ ଚଳାଇ ଫେରାର ହେବାକୁ ଉଦ୍ୟମ କରିଥିଲା । ପୋଲିସ ଟିମ୍ ପିଛା କରି କାବୁ କରିବାକୁ ଉଦ୍ୟମ କରିବାରୁ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏପଟେ ଆତ୍ମରକ୍ଷା ପାଇଁ ପୋଲିସ ଟିମ୍ ପପୁନକୁ ଗୁଳି ମାଡ଼ କରିଥିଲା ।ପୋଲିସ ଗୁଳିରେ ଆହତ ପୁପୁନକୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ। ତେବେ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ SCB ମେଡିକାଲ୍ ପଠାଇ ଦିଆଯାଇଛି।