ଏନ୍‌କାଉଣ୍ଟର: ୧୨ ନକ୍ସଲ ନିହତ

ମୁମ୍ବାଇ: ମହାରାଷ୍ଟ୍ର ଗଡ଼ଚିରୋଲି ନିକଟସ୍ଥ ଜଙ୍ଗଲରେ ଆଜି ପୁଲିସର ଏନ୍‌କାଉଣ୍ଟରରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଏହି ଘଟଣାରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ ସମେତ ଦୁଇ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଗଡ଼ଚିରୋଲି ଏସ୍‌ପି କହିଛନ୍ତି, ଏନ୍‌କାଉଣ୍ଟର ପରେ ଘଟଣାସ୍ଥଳରୁ ପୁଲିସ୍ ୧୨ ଜଣ ନକ୍ସଲଙ୍କ ମୃତଦେହକୁ ଜବତ କରିଛି । ୩ଟି ଏକେ ୪୭, ୨ଟି ଇନ୍‌ସାସ୍ ରାଇଫଲ, ଗୋଟିଏ କାରବାଇ ଓ ଗୋଟିଏ ଏସ୍‌ଏଲ୍‌ଆର ଭଳି ଅତ୍ୟାଧୁନିକ ବନ୍ଧୁକ ଜବତ କରାଯାଇଛି । ଏସ୍‌ପିଙ୍କ ସୂଚନା ଅନୁଯାୟୀ ସି-୬୦ ଫୋର୍ସର ୭ଟି ଟିମକୁ ଛତିଶଗଡ଼ ସୀମାନ୍ତ ୱଣ୍ଡୋଲି ଗାଁକୁ ପଠାଯାଇଥିଲା । ଦୀର୍ଘ ଦିନ ଧରି ଏହାର ଆଖପାଖ ଅଞ୍ଚଳରେ ମାଓ ଗତିବିଧି ନଜର ଆସୁଥିଲା । ସେହି ଗାଁ ନିକଟରେ ୧୨-୧୫ ମାଓବାଦୀ ଡେରା ପକାଇଥିବା ନେଇ ପରବର୍ତ୍ତୀ ସମୟରେ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏଣୁ ସୂଚନା ପାଇବା ପରେ ଦ୍ୱିପ୍ରହରରେ ପୁଲିସ ସେଠାରେ ପହଞ୍ଚିଥିଲା । ଘଟଣାସ୍ଥଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳି ବିନିମୟ । ଆଜି ଅପରାହ୍ଣରେ ଏହି ଏନ୍‌କାଉଣ୍ଟର ହୋଇଥିଲା । ସି-୬୦ କୋମାଣ୍ଡୋ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ୬ ଘଣ୍ଟା ଧରି ଗୁଳିବିନିମୟ ଚାଲିଥିଲା । ଏଥିରେ ସି-୬୦ର ଜଣେ ସବ୍‌-ଇନ୍ସପେକ୍ଟର ଓ ଜଣେ ଯବାନ ଆହତ ହୋଇଛନ୍ତି । ସେମାନେ ବିପଦମୁକ୍ତ ଅଛନ୍ତି । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ନାଗପୁର ସ୍ଥାନାନ୍ତର କରାଯାଇଥିଲା । ୧୨ ନିହତ ନକ୍ସଲଙ୍କ ମଧ୍ୟରୁ ଜଣଙ୍କର ପରିଚୟ ମିଳିଛି । ତାଙ୍କ ନାଁ ଲକ୍ଷ୍ମଣ ଆତ୍ରାମ ଓରଫ ବିଶାଲ ଆତ୍ରାମ । ସେ ଡିଭିଜନାଲ କମିଟି ମେମ୍ବର ଥିଲେ । ସେ ଟିପାଗଡ଼ ଦଳମ ଦାୟିତ୍ୱରେ ଥିଲେ । ଅନ୍ୟପକ୍ଷରେ ସି-୬୦ କୋମାଣ୍ଡୋ ଓ ଗଡ଼ଚିରୋଲି ପୁଲିସ୍‌ର ଏହି ସଫଳତା ପାଇଁ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ୫୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିବା ଗଡ଼ଚିରୋଲି ଏସ୍‌ପି ଏହି ସୂଚନା ଦେଇଛନ୍ତି । ଏବେ ବି ଘଟଣାସ୍ଥଳ ଓ ଏହା ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Comments (0)
Add Comment