ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ବିମାନକୁ ହାଇଜାକ୍ ଆଲର୍ଟ ମିଳିବା ପରେ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଜର୍ମାନୀର ଫ୍ରାଙ୍କଫର୍ଟରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆର ବିମାନ ନମ୍ବର AI-2030 କୁ ଏହି ସତେର୍କତା ମିଳିଥିଲା, ଯାହାକି ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି କରିଥିଲା। ସୂଚନାନୁଯାୟୀ, ବିମାନଟି ଆକାଶରେ ଥିବାବେଳେ ହାଇଜାକ୍ ଆଲର୍ଟ ମିଳିବା ମାତ୍ରେ ପାଇଲଟ୍ ତତ୍ପରତା ପ୍ରକାଶ କରି କିଛି ସେକେଣ୍ଡ ପାଇଁ ‘Squawk 7500’ କୋଡ୍ (ଅପହରଣ ସଙ୍କେତ) ଜାରି କରିଥିଲେ। ଏହା ତୁରନ୍ତ ଦେଶର ସୁରକ୍ଷା ଏଜେନ୍ସି ଏବଂ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସତର୍କ କରାଇ ଦେଇଥିଲା। ଫଳରେ ସୁରକ୍ଷା ଦୃଷ୍ଟିରୁ ବିମାନଟିକୁ ନିର୍ଦ୍ଧାରିତ ସ୍ଥାନ ବଦଳରେ ତୁରନ୍ତ ଜୟପୁର ବିମାନବନ୍ଦରରେ ସୁରକ୍ଷିତ ଭାବେ ଅବତରଣ କରାଯାଇଥିଲା। ଅବତରଣ ପରେ ବିମାନଟିକୁ ତୁରନ୍ତ ଏକ ଆଇସୋଲେସନ ବେ (ସୁରକ୍ଷିତ ସ୍ଥାନ)କୁ ନିଆଯାଇଥିଲା। ସେଠାରେ ସୁରକ୍ଷା କର୍ମୀ, ବୋମ୍ବ ସ୍କ୍ବାଡ୍ ଏବଂ ଅଧିକାରୀମାନେ ପହଞ୍ଚି ପୁଙ୍ଖାନୁପୁଙ୍ଖ ଯାଞ୍ଚ ଆରମ୍ଭ କରିଛନ୍ତି। ସମ୍ପୂର୍ଣ୍ଣ ସୁରକ୍ଷା ପ୍ରୋଟୋକଲ୍ ଅନୁସାରେ ବିମାନ ଏବଂ ଯାତ୍ରୀଙ୍କ ସାମଗ୍ରୀକୁ ଯାଞ୍ଚ କରାଯାଉଛି। ଘଟଣା ସମ୍ପର୍କରେ ସୁରକ୍ଷା ଏଜେନ୍ସିଗୁଡ଼ିକ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।