ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପ୍ରେସମିଟ୍ : କହିଲେ ୭୦ ପ୍ରତିଶତ ହୋଇଛି ମତଦାନ

ଆଜି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ର ପ୍ରଥମ ପର୍ଯ୍ୟାୟ ର ମତଦାନ ଶାନ୍ତି ଶୃଙ୍ଖଳା ର ସହିତ ଶେଷ ହୋଇଛି I ପ୍ରଥମ ପର୍ଯ୍ୟାୟ ରେ ମୋଟ ୭୧ଟି ବ୍ଳକର ୧,୬୬୯ଟି ଗ୍ରାମ ପଞ୍ଚାୟତରେ ୨ଶହ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ମତଦାନ ହୋଇଛି I ତେବେ ଭୋଟ ଗ୍ରହଣ ସମୟରେ କାଁ ଭାଁ ଗଣ୍ଡଗୋଳ ,ବୁଥ ଜବର ଦଖଲ,ବାଲଟ ବକ୍ସ ଉଠାଇନେବା ,ତଥା ପ୍ରକ୍ସି ଭୋଟିଂ ହୋଇଥିବା ଖବର ନଜର କୁ ଆସିଛି I ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭୀରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବୁଧବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟିଂ ସରିବା ପରେ ପ୍ରେସ ମିଟ ଜରିଆରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।

ନିର୍ବାଚନ କମିଶନ ଙ୍କ ସୂଚନାନୁସାରେ ମୋଟ ୭୧ଟି ବ୍ଲକର ୧୬୬୯ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି । କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକର ଡୁଣ୍ଡାମେଲା ଗ୍ରାମ ପଞ୍ଚାୟତର ୱାର୍ଡ ନମ୍ବର ୧୧ରେ ବିଶେଷ କାରଣରୁ ନିର୍ବାଚନ ହୋଇନାହି । ଏହା ସହିତ ଢେଙ୍କାନାଳର ୩ଟି ବୁଥ୍, ଯାଜପୁରର ୭ଟି ବୁଥ୍ ଓ ପୁରୀ ଜିଲ୍ଲାର ୫ଟି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇବା ପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବେ । ଏହି ପର୍ଯ୍ୟାୟରେ ମୋଟ ୬୭ ଲକ୍ଷ ୫୧ ହଜାରରୁ ଅଧିକ ଭୋଟର ଥିବା ବେଳେ ପ୍ରାରମ୍ଭିକ ସୂଚନା ଅନୁଯାୟୀ ରାଜ୍ୟରେ ମୋଟ ୭୦ ପ୍ରତିଶତ ମତଦାନ ହୋଇଛି ।