ରକୁଲ ପ୍ରୀତଙ୍କୁ ଇଡି ସମନ

ହାଇଦ୍ରାବାଦ: ଟଲିଉଡ଼ରେ ଡ୍ରଗ୍ସ କାରବାର ଓ ଏଥିସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂହଙ୍କୁ ସମନ ଜାରି କରିଛି । ଆସନ୍ତା ୧୯ ତାରିଖରେ ହାଇଦ୍ରାବାଦସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ କୁହାଯାଇଛି । ଏହି ମାମଲାରେ ତାଙ୍କୁ ପଚରାଉଚରା କରାଯିବ । ଗତବର୍ଷ ସେପ୍ଟେମ୍ବର ୩ ତାରିଖରେ ମଧ୍ୟ ତାଙ୍କୁ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ସହ ଜଡ଼ିତ ଡ୍ରଗ୍ସ କାରବାର ନେଇ ଏନସିବି ପକ୍ଷରୁ ପଚରା ଉଚୁରା କରାଯାଇଥିଲା । ୨୦୧୭ ଜୁଲାଇରେ ବହିଃଶୁକ୍ଳ ଅଧିକାରୀମାନେ ସଙ୍ଗୀତକାର କାଲଭିନ ମାସ୍କାରେନହାସ ଓ ଅନ୍ୟ ଦୁଇଜଣଙ୍କ ଠାରୁ ୩୦ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ କରିଥିଲେ । ଏହି ମାମଲାରେ ପୂର୍ବରୁ ରବି ତେଜା, ଚାର୍ମି କୌର, ନବଦୀପ, ମୁମେଥ ଖାନ, ତନିଶ ନନ୍ଦୁ, ତରୁଣ ଓ ବାହୁବଳୀ ଅଭିନେତା ରାଣା ଦାଗୁବତିଙ୍କୁ ମଧ୍ୟ ଇଡି ଜେରା କରିଥିଲା । ଏହି ଡ୍ରଗ୍ସ କାରବାରକୁ ନେଇ ୧୨ଟି ମାମଲା ରୁଜୁ କରାଯାଇଥିଲା ବେଳେ ସେଥିମଧ୍ୟରୁ ୧୧ଟିରେ ଚାର୍ଜସିଟ ଦାଖଲ କରାଯାଇସାରିଛି ।