କାମ ନ କରି କରନ୍ତି ରୋଜଗାର

ଆଜିକାଲି ଲୋକେ କାମ କଲେ ବି ସେମାନଙ୍କୁ ଉଚିତ ପାରିଶ୍ରମିକ ମିଳୁ ନାହିଁ । ମାତ୍ର ଜାପାନର ଜଣେ ଯୁବକ ଆଦୌ କୌଣସି କାମ ନ କରି ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ୩୮ ବର୍ଷୀୟ ଶିଜୋ ମୋରିମୋଟୋ କିଛି କାମ ନ କରି ମଧ୍ୟ ଘଂଟାକୁ ୫ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି । ଶିଜୋ ଟୋକିଓରେ ରହନ୍ତି । ତେବେ ତାଙ୍କ କାମ ହେଉଛି ସେ ନିଜକୁ ନିଜେ ଭଡ଼ାରେ ଦିଅନ୍ତି । ଅର୍ଥାତ୍ ସେ ଲୋକଙ୍କ ସହ ସାଥୀ ଭାବେ ଯାଆନ୍ତି । ଏହା ପ୍ରତିବଦଳରେ ତାଙ୍କୁ ମିଳେ ସାଢ଼େ ପାଞ୍ଚ ହଜାର ଟଙ୍କା । ତାଙ୍କ ଗ୍ରାହକ ତାଙ୍କୁ ଯେତେବେଳେ ଯେଉଁ ସମୟରେ ଯେଉଁଠି ପହଞ୍ଚିବାକୁ କହନ୍ତି, ଶିଜୋ ସେଠାରେ ଉପସ୍ଥିତ ରହନ୍ତି । ସେମାନଙ୍କ ସହ ବସିବା, ଉଠିବା, ବୁଲାବୁଲି ଆଦି କାର୍ଯ୍ୟ କରନ୍ତି । ତେବେ ଗତ ଚାରି ବର୍ଷ ମଧ୍ୟରେ ସେ ଚାରି ହଜାର ଗ୍ରାହକଙ୍କୁ ନିଜକୁ ଭଡ଼ାରେ ଦେଇଛନ୍ତି । ଏପରିକି ତାଙ୍କର ଜଣେ କ୍ଲାଏଣ୍ଟ ତାଙ୍କୁ ୨୭୦ ଥର ଭଡ଼ାରେ ନେଲେଣି । ସେହିପରି କୌଣସି ଟିମ୍‌ରେ ଯଦି ଜଣକର ଅଭାବ ପଡ଼େ, ଶିଜୋଙ୍କୁ ଲୋକେ ଭଡ଼ାରେ ନିଅନ୍ତି । ତେବେ ସେ ଶାରିରୀକ ସମ୍ପର୍କ ରଖିବା ନେଇ ଗ୍ରାହକଙ୍କୁ ରୋକଠୋକ୍ ମନା କରିଦିଅନ୍ତି । ଏହି କାମ ପୂର୍ବରୁ ଶିଜୋ ଏକ ପ୍ରକାଶନୀ ସଂସ୍ଥାରେ କାମ କରୁଥିଲେ । ମାତ୍ର ସେଠାରେ କିଛି କରୁ ନ ଥିବା କହି ତାଙ୍କୁ ଗାଳି ଶୁଣିବାକୁ ପଡ଼ୁଥିଲା । ସେଇଠୁ ଶିଜୋ କିଛି ନ କରିବାକୁ ପେଶାରେ ପରିଣତ କରି ଆଜି ଦିନକୁ ହଜାର ହଜାର ଟଙ୍କା ରୋଜଗାର କରୁଛନ୍ତି । ଏବେ ସେ ଦିନକୁ ଜଣେ, ଦୁଇଜଣଙ୍କୁ ନିଜକୁ ଭଡ଼ାରେ ଦେଉଥିବା ବେଳେ କରୋନା କାଳରେ ସେ ଦିନକୁ ତିନିରୁ ଚାରିଜଣଙ୍କ ଏହି ସେବା ଯୋଗାଉଥିଲେ ।