କାନାଡ଼ା ସହ ବିବାଦ ଯୋଗୁଁ ମହଙ୍ଗା ହେଲା ମସୁର ଡାଲି

ନୂଆଦିଲ୍ଲୀ: ଖଲିସ୍ତାନ ପ୍ରସଙ୍ଗକୁ ନେଇ କାନାଡା ସହ ଚାଲିଥିବା ବିବାଦ ମଧ୍ୟରେ ମହଙ୍ଗା ହୋଇଯାଇଛି ମସୁର ଡାଲି । ଏହା ସହିତ ଅନ୍ୟ କେତେକ ଡାଲିର ମଧ୍ୟ ଦରବୃଦ୍ଧି ହୋଇପାରେ । କାରଣ ଭାରତ କାନାଡାରୁ ବିପୁଳ ପରିମାଣରେ ଡାଲି ଆମଦାନୀ କରିଥାଏ ।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମଦାନୀକାରୀ ଓ ବ୍ୟବସାୟୀମାନେ ଭୟ କରୁଛନ୍ତି ଯେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା କାରଣରୁ ଉଭୟ ସରକାର ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି । ଓଲାମ ଆଗ୍ରି ଇଣ୍ଡିଆର ବରିଷ୍ଠ ଉପାଧ୍ୟକ୍ଷ ନୀତିନ ଗୁପ୍ତା କହିଛନ୍ତି ଯେ ଏଭଳି ଆଶଙ୍କା ବ୍ୟବସାୟୀମାନଙ୍କୁ ହଇରାଣ କରୁଛି। ତେବେ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଭାରତର ଏଭଳି କୌଣସି ଯୋଜନା ନାହିଁ ଏବଂ ସରକାର ଆମଦାନୀକାରୀଙ୍କୁ ଏଭଳି କୌଣସି ନିର୍ଦ୍ଦେଶ ଦେଇନାହାନ୍ତି। କାନାଡା ମଧ୍ୟ ନିଜ ତରଫରୁ କୌଣସି ନିଷ୍ପତ୍ତି ନେଉନାହିଁ ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ଖରାପ କରିବ ।

୨୦୨୨-୨୩ରେ କାନାଡା ଭାରତକୁ ସବୁଠାରୁ ବଡ଼ ଡାଲି ଯୋଗାଣକାରୀ ଦେଶ ଥିଲା। ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା ଭାରତ କାନାଡାରୁ ୩୭୦ ନିୟୁତ ଡଲାର ମୂଲ୍ୟର ୪.୮୬ ଲକ୍ଷ ମେଟ୍ରିକ୍ ଟନ୍ ଡାଲି ଆମଦାନୀ କରିଛି। ଯାହା କି ଭାରତର ମୋଟ ଆମଦାନୀର ୫୦ ପ୍ରତିଶତରୁ ଅଧିକ ଥିଲା । ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ମଧ୍ୟରେ କାନାଡାରୁ ମସୁର ଡାଲି ଆମଦାନୀ ଗତବର୍ଷ ତୁଳନାରେ ୪୨୦ ପ୍ରତିଶତ ବୃଦ୍ଧି ପାଇଛି। ଏହାର କାରଣ ହେଉଛି ଚଳିତ ବର୍ଷ ଭାରତରେ ମସୁର ଉତ୍ପାଦନ କମ ହୋଇଛି । ଏଣୁ ଆମଦାନୀ ମାଧ୍ୟମରେ ଏହାକୁ ଭରଣା କରାଯାଉଛି । କିନ୍ତୁ ବିବାଦ ଆରମ୍ଭ ହେବା ପରେ ଡାଲି ଆମଦାନୀ କମିଯାଇଛି ଓ ଏହାର ପ୍ରଭାବ ଦର ଉପରେ ପଡ଼ୁଛି ।

NATIONALODISHA