ପୋଲିସଙ୍କୁ ଚକମା ଦେଉଛନ୍ତି ଡ୍ରଗ୍ସ ମାଫିଆଙ୍କ କୁକୁର

କୋଟ୍ଟାୟମ: ଡ୍ରଗ ମାଫିଆମାନେ ପୋଲିସ ହାତରୁ ବର୍ତିବା ପାଇଁ ଅନେକ ପ୍ରକାରର ଯୋଜନା କରିଥାନ୍ତି । କେରଳରେ ଏବେ ସେମାନଙ୍କ ନୂଆ କୌଶଳ ପଦାରେ ପଡିଛି । ଡ୍ରଗ୍ସ ମାଫିଆମାନେ ସମ୍ପୃକ୍ତ ଅଂଚଳରେ ପୋଲିସ ପ୍ରବେଶ କଲେ ତାଙ୍କୁ ରୋକିବା ଏବଂ ନିଜେ ସତର୍କ ହେବା ପାଇଁ କୁକୁରଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ସେହି ଅଂଚଳର କୁକୁରଙ୍କୁ ଏ ଭଳି ଭାବେ ପ୍ରଶିକ୍ଷଣ ଦେଉଛନ୍ତି ଯେ, ସେମାନେ ପୋଲିସ ପୋଷାକ ଦେଖିବା ମାତ୍ରେ ହିଂସକ ହୋଇ ଉଠୁଛନ୍ତି ।

ଏହି ଅବସରରେ ସମ୍ପୃକ୍ତ ଅଂଚଳରୁ ଚୋରମାନେ ଫେରାର ହୋଇ ଯାଉଛନ୍ତି । କୋଟ୍ଟାୟମ ଅଂଚଳରେ ପୋଲିସ ଡ୍ରଗ୍ସ ତସ୍କରଙ୍କୁ ଧରିବା ପାଇଁ ଗଲା ବେଳେ ଏହି ଅସୁବିଧାର ସମ୍ମୁଖୀନ ହୋଇଥିଲେ । କୁକୁରଙ୍କ କବଳରୁ ମୁକ୍ତ ହେବା ବେଳକୁ ସେମାନେ ଖସି ଯାଇଥିଲେ । ପୋଲିସ କେବଳ ୧୭ କିଲୋ ଗଂଜେଇ ଜବତ କରିଥିଲା ।

ଡ୍ରଗ୍ସ ମାଫିଆଜଣଙ୍କ କୁକୁର ପ୍ରଶିକ୍ଷକ ଭାବେ ଉକ୍ତ ଅଂଚଳରେ ରହୁଥିଲା । ସ୍ଥାନୀୟ ଅଂଚଳର ବାସିନ୍ଦା ସେମାନଙ୍କ କୁକୁରକୁ ସେଠାରେ ପ୍ରଶିକ୍ଷଣ ପାଇଁ ଛାଡି କରି ଯାଉଥିଲେ । ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ସୂଚନାଯୋଗ୍ୟ, କେରଳରେ ଏବେ ଡ୍ରଗ୍ସ ମାଫିଆ ପ୍ରଶାସନ ପାଇଁ ଚିନ୍ତାର କାରଣ ସାଜିଛନ୍ତି ।