ବଡ଼ଦେଉଳ ଉପରେ ପୁଣି ଉଡ଼ିଲା ଡ୍ରୋନ୍

ଭୁବନେଶ୍ବର: ବିଶ୍ୱପ୍ରସିଦ୍ଧ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ପୁଣିଥରେ କାଠଗଡ଼ାକୁ ଟାଣିଛି ଏକ ନୂଆ ଘଟଣା। କଟକଣା ସତ୍ତ୍ୱେ ପୁଣିଥରେ ଶ୍ରୀମନ୍ଦିର ଉପରେ ଏକ ଅଜଣା ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚିନ୍ତା ବଢ଼ିଯାଇଛି।ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ବଡ଼ଦେଉଳ ଉପରେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ଏହି ଡ୍ରୋନ୍ ଉଡ଼ାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। କେଉଁ ସ୍ଥାନରୁ ଏହାକୁ ନିୟନ୍ତ୍ରଣ କରାଯାଉଥିଲା, ସେନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଶ୍ରୀମନ୍ଦିର ଏକ ଅତି ସମ୍ବେଦନଶୀଳ ଧାର୍ମିକ ପୀଠ ହୋଇଥିବାରୁ ଏଭଳି ସୁରକ୍ଷା ଉଲ୍ଲଂଘନକୁ ସାଧାରଣରେ ଗୁରୁତ୍ୱର ସହ ନିଆଯାଇଛି। ମନ୍ଦିରର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ତୁରନ୍ତ ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି ବ୍ୟବସ୍ଥା ଲାଗୁ କରିବାକୁ ଜୋରଦାର ଦାବି ଉଠିଛି। ପୁଲିସର ତଦନ୍ତ ପରେ ହିଁ ଏହି ଘଟଣା ପଛର ପ୍ରକୃତ ରହସ୍ୟ ସାମ୍ନାକୁ ଆସିବ।