ରାଜଧାନୀରେ ଗଡିବନି ଗାଡି

ରାଜଧାନୀରେ ଗଡି ବନି ଚକ । ମାର୍ଚ୍ଚ ୧୫ ତାରିଖରୁ ଧର୍ମଘଟ କରିବ ଡ୍ରାଇଭର ସଂଘ । ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ରବିବାର ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ । ଏହି ଧର୍ମଘଟରେ ସାମିଲ ହେବେ ଏକତା ମହାମଞ୍ଚ ଅଧୀନରେ ଆସୁଥିବା ରାଜ୍ୟ ୫ ଡ୍ରାଇଭର ସଂଘ ଓ ମହାଂସଘ ।

ତେବେ ମହାମଞ୍ଚ ଅଭିଯୋଗ କରିଛି, ଡ୍ରାଇଭରଙ୍କ ସମସ୍ୟା ନେଇ ବାରମ୍ବାର ରାଜ୍ୟ ସରକାରଙ୍କ ଦୃ୍‌ଷ୍ଟି ଆକର୍ଷଣ କରିଛୁ । ଲିଖିତ ଅଭିଯୋଗ ମଧ୍ୟ କରିଛୁ । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ପରେ ମଧ୍ୟ ମହାମଞ୍ଚ ନିରାଶ ହୋଇଛି । ଶେଷରେ ମହାସଂଘ ଏପରି ନିଷ୍ପତ୍ତି ନେଇଛି । ଡ୍ରାଇଭର ସଂଘର ଦାବି ପୂରଣ ନ ହେବା ଯାଏ ଧର୍ମଘଟକୁ ଓହ୍ଲାଇବ ନାହିଁ ବୋଲି ଡ଼୍ରାଇଭର ଏକତା ମହାମଞ୍ଚ ନିଷ୍ପତ୍ତି ନେଇଛି ବୋଲି ଓଡ଼ିଶା ମୋଟର ଚାଳକ ସଂଘ ରାଜ୍ୟ ସଭାପତି ଅକ୍ଷୟ କୁମାର ନାୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଡ୍ରାଇମାନଙ୍କ ସମସ୍ୟା ନେଇ ସରକାରଙ୍କ ପାଖରେ ୬ ଦଫା ଦାବି ଉପସ୍ଥାପନ କରାଯାଇଛି ।

ହେଲେ ସରକାର ଆମ ଦାବି ପୂରଣ କରି ନାହାନ୍ତି । ତେଣୁ ଆମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବୁ ବୋଲି ନିଷ୍ପତ୍ତି ନେଇଛୁ । ତେବେ ଏହି ଧର୍ମଘଟ ଶାନ୍ତିପୂର୍ଣ୍ଣ ଭାବେ ହେବ । ଆମ୍ବୁଲାନ୍ସ,ଫାୟାର ବ୍ରିଗେଡ, ସ୍କୁଲ ଏବଂ ନାମଲେଖା ପାଇଁ ଯାଉଥିବା ଗାଡିକୁ ବନ୍ଦ କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି ।