ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ନାମାଙ୍କନ ଦାଖଲ କଲେ ଦ୍ରୌପଦୀ ମୁର୍ମୁ: ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ପ୍ରସ୍ତାବକ

ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ । ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦସ୍ତଖତ କରିଛନ୍ତି । ଏହା ସହିତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଜେପି ନଡ୍ଡା ପ୍ରଭୃତି ଉପସ୍ଥିତ ଥିଲେ । ରିଟର୍ଣ୍ଣିଂ ଅଫିସର ପିସି ମୋଦୀଙ୍କ ନିକଟରେ ଦାଖଲ କଲେ ନାମାଙ୍କନ । ଏହାସହ ଅନେକ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।


ବିଜେପି ପକ୍ଷରୁ ମୋଟ ୪ ସେଟ୍‌ ନାମାଙ୍କନ ଶ୍ରୀମତୀ ମୁର୍ମୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିଲା। ପ୍ରତି ନାମାଙ୍କନ ପତ୍ରରେ ୫୦ ଜଣ ପ୍ରସ୍ତାବକ ଓ ୫୦ ଜଣ ସମର୍ଥକଙ୍କ ଦସ୍ତଖତ ରହିଛି।

ଶ୍ରୀମତୀ ମୁର୍ମୁଙ୍କ ପ୍ରାର୍ଥିପତ୍ରରେ ପ୍ରସ୍ତାବକ ବିଜେଡିର ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଦସ୍ତଖତ କରିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶର କ୍ଷମତାସୀନ ୱାଇଏସ୍‌ଆର କଂଗ୍ରେସର ୨ ଜଣ ସାଂସଦ ମଧ୍ୟ ପ୍ରସ୍ତାବକ ରହିଛନ୍ତି। ବିଜେପି ସହ ମେଣ୍ଟ କରିଥିବା ଜେଡିୟୁର କିଛି ନେତା ମଧ୍ୟ ପ୍ରସ୍ତାବକ ଭାବେ ମୁର୍ମୁଙ୍କ ପ୍ରାର୍ଥିପତ୍ରକୁ ସମର୍ଥନ କରିଛନ୍ତି।


ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ କଡ଼ା ସୁରକ୍ଷା ବଳୟରେ ଓଡ଼ିଶା ଭବନରୁ ସଂସଦ ଭବନ ଯାଇଥିଲେ ଦ୍ରୌପଦୀ ମୁର୍ମୁ। ପାର୍ଲାମେଣ୍ଟରେ ପରିସରରେ ମହାତ୍ମାଗାନ୍ଧି, ଡ. ବି.ଆର. ଆମ୍ବେଡକର ଓ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ହୋଇଛି ।


ଏନଡିଏର ପ୍ରାର୍ଥୀ ହୋଇଥିଲେ ମଧ୍ୟ ଓଡ଼ିଆ ଝିଅ ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରାଇବା ପାଇଁ ନବୀନ ଅଗ୍ରଣୀ ଭୂମିକା ନେଇଛନ୍ତି । ଦେଶର ସର୍ବୋଚ୍ଚ ପଦବୀ ପାଇଁ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଓଡ଼ିଶାରେ ଏବେ ଖୁସି ର ମାହୋଲ ଦେଖାଦେଇଛି । ଅନ୍ୟପଟେ ତାଙ୍କ ରାଇରଙ୍ଗପୁର ବାସଭବନରେ ମଧ୍ୟ ବାଜା ବାଣ ଫୁଟାଇ ଉତ୍ସବ ମନାଇଛନ୍ତି ଶୁଭେଛୁ । ସାନ୍ତାଳି ନାଚଗୀତରେ ଦୁଲୁକୁଛି ରାଇରଙ୍ଗପୁର । ବାଣ ଫୁଟାଇ କେକ୍ କାଟି ଖୁସି ମନାଇଛନ୍ତି ସ୍ଥାନୀୟ ଲୋକେ ।