ନୂଆଦିଲ୍ଲୀରେ ଡ଼ା. ହରେକୃଷ୍ଣ ମହତାବଙ୍କ ୧୨୩ତମ ଜୟନ୍ତୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୧-୧୧ :(ପି.ଏନ .ଏ) – ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଉତ୍କଳ କେଶରୀ ଡ଼ା. ହରେକୃଷ୍ଣ ମହତାବଙ୍କ ଭୂମିକା ଅତୁଳନୀୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  

ନବ ଉତ୍କଳର ନିର୍ମାତା ପ୍ରଖର ରାଷ୍ଟ୍ରବାଦୀ ଡା. ମହତାବଙ୍କ ୧୨୩ତମ ଜୟନ୍ତୀ ଅବସରରେ ନୂଆଦିଲ୍ଲୀ ଠାରେ ‘ଇଣ୍ଟେଲେକ୍ଟ ସଂଗଠନ’ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି । ସେ କହିଛନ୍ତି ଯେ ଓଡ଼ିଶାକୁ ଜାତୀୟ ସ୍ତରରେ ଅଧିକ ପରିଚିତ କରିଥିବା ଡା. ମହତାବଙ୍କ କାମ ପାଇଁ ଆମେ ଓଡ଼ିଆ ଲୋକମାନେ ତାଙ୍କର ଅନୁଯାୟୀ ଭାବରେ ଗର୍ବ କରିବା ଦରକାର । କୋଲକାତାର ନେତାଜୀ ସଂଗ୍ରହାଳୟରେ ଡା. ମହତାବଙ୍କ ଫଟୋଚିତ୍ର ସ୍ଥାନିତ ହେବା ଦେଖି ମୋର ଆତ୍ମବିଶ୍ୱାସ ଭରି ଉଠିଥିଲା । ଓଡ଼ିଶାରେ ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ, ଦେଶର ଗଡ଼ଜାତ ମିଶ୍ରଣରେ ବାଲେଶ୍ୱର ଜିଲ୍ଲା ନୀଳଗିରିର ମିଶ୍ରଣ ଡା. ମହତାବଙ୍କ ଦକ୍ଷତାକୁ ପ୍ରତିପାଦିତ କରୁଛି । ଏ ପରିଚୟ ତାଙ୍କର ଦୂରଦୃଷ୍ଟି ଓ ଦକ୍ଷତାର ପରିଚୟ ଦେଉଛି ।  କେବଳ ରାଜନେତା ନୁହେଁ ବରଂ ପ୍ରଜାତନ୍ତ୍ରର ଝଙ୍କାର ଓ ମୀନା ବଜାର ମାଧ୍ୟମରେ ଓଡିଆ ସାହିତ୍ୟକୁ ନୂଆ ଦିଗଦର୍ଶନ ଦେଇଥିଲେ । ଆମେ ସମସ୍ତେ ମହତାବଙ୍କ ବ୍ୟକ୍ତିତ୍ୱ ବୁଝିବା ଦରକାର । ମହତାବଙ୍କ କେହି ବିରୋଧୀ ନଥିଲେ । ସମସ୍ତେ ତାଙ୍କ ପରାମର୍ଶ ନେଉଥିଲେ ।  

ମହତାବ ଇତିହାସକାର ବି ଥିଲେ । ଓଡ଼ିଶାକୁ ସର୍ବଭାରତୀୟ ସ୍ତରରେ ପରିଚିତ କରିବା ସହ ‘ଓଡ଼ିଶା ଇତିହାସ’ ଭଳି ପୁସ୍ତକ ଲେଖିଥିଲେ । ଗତ ଦୁଇ ବର୍ଷ ତଳେ ପ୍ରଧାନମନ୍ତ୍ରୀଙ୍କ କରକମଳରେ ଏହି ପୁସ୍ତକ ହିନ୍ଦି ଭାଷାରେ ଉନ୍ମୋଚିତ ହୋଇଯାଇଛି । ସେ କେବଳ ଜଣେ ବ୍ୟକ୍ତି ନ ଥିଲେ ବରଂ ଜଣେ ଅନୁଷ୍ଠାନ ଥିଲେ । ହୀରାକୁଦ ବନ୍ଧ ପରି କଳ୍ପନା କରିଥିଲେ । ରାଉରକେଲାର ଇସ୍ପାତ୍ କାରଖାନା, କୋରାପୁଟ ଭଳି ଜିଲ୍ଲାରେ ହିନ୍ଦୁସ୍ତାନ ଅରୋନୋଟିକ୍ସ ଲିମିଟିଡର କାରଖାନା ତିଆରି କରିଥିଲେ । ଓଡ଼ିଶାର ବିକାଶରେ ମହତାବଙ୍କ ଭୂମିକା ଅବିସ୍ମରଣୀୟ । ତାଙ୍କ ପାଇଁ ପ୍ରତ୍ୟେକ ଓଡ଼ିଆ ଗର୍ବିତ । ସମସ୍ତେ ଜଣେ ଜଣେ ମହତାବ ହୁଅନ୍ତୁ । ଯୁଗପୁରୁଷ ହୁଅନ୍ତୁ । ତେବେ ଯାଇ ଭାରତ ଆଗକୁ ଯିବ ।

ଦେଶ ସ୍ୱାଧୀନତାର ୭୫ ବର୍ଷର ଯାତ୍ରା ପୂରଣ କରିବା ବେଳେ ଆଜି ମହତାବଙ୍କ ଜନ୍ମଦିନ ଅଧିକ ପ୍ରାସଙ୍ଗିକତା ରଖୁଛି । ସ୍ୱାଧୀନତା ପୂର୍ବ ଏବଂ ପରେ ଓଡ଼ିଶାକୁ ଅଧିକ ପରିଚିତ କରିଥିବା ତଥା ଓଡ଼ିଆ ଜାତୀୟତାବାଦକୁ ରାଷ୍ଟ୍ରୀୟ ସ୍ରୋତରେ ଆଗକୁ ନେବାରେ ଡା. ମହତାବଙ୍କ ନେତୃତ୍ୱ ଓ ଭୂମିକା ଅତୁଳନୀୟ । ଓଡିଆ ସମାଜରେ ବୈଜ୍ଞାନିକ ତଥ୍ୟ ଭାବରେ ପ୍ରମାଣିତ ହୋଇଥିବା କଥା ଗୁଡ଼ିକୁ ସଠିକ୍ ଢଙ୍ଗରେ ପ୍ରମାଣିତ ହେଲେ ଓଡିଆ ଜାତିର ପରିଚୟ ମିଳନ୍ତା ।  

ଆଦିକବି ସାରଳା ଦାସ, ସନ୍ଥ କବି ଭୀମ ଭୋଇ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ବିଚାରରୁ ଅତୀତରେ ଓଡ଼ିଆ ଜାତିର ଜ୍ଞାନର ଗଭୀରତା ଜଣାପଡେ । ଏହି ମହାପୁରୁଷମାନେ ଲମ୍ବା ସମୟ ଧରି ଆମକୁ ଓ ଯୁବସମାଜକୁ ପ୍ରେରିତ କରିବେ, ଏହା ନିଃସନ୍ଦେହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଆମକୁ ଭାରତ ଏବଂ ଓଡ଼ିଶାକୁ ବିକଶିତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ହେବ । ଏକବିଂଶ ଶତାବ୍ଦୀରେ ଓଡ଼ିଆ ଲୋକମାନେ ବୈଶ୍ୱିକ କଲ୍ୟାଣର ନେତୃତ୍ୱ ନିଅନ୍ତୁ, ଏଥିପାଇଁ ଆମେ ସମସ୍ତେ ସଂକଳ୍ପ ନେବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।