ଥମୁନାହିଁ ‘ମୋ ବସ’ରୁ ଚୋରି ମାମଲା

ଭୁବନେଶ୍ୱର : ବଢି ଚାଲିଛି ରାଜ୍ୟ ସରକାରଙ୍କର ‘ମୋ ବସ’ରୁ ଚୋରି ମାମଲା I ଭିଡ଼ ର ସୁଯୋଗ ନେଇ ହାତ ସଫେଇ କରୁଛନ୍ତି ଦୁର୍ବୁର୍ତ୍ତ I ସେହି ଭଳି ଆଜି ଏକ ଚୋରି ଘଟଣାର ଅଭିଯୋଗ ହୋଇଛି ଭୁବନେଶ୍ୱର ଚନ୍ଦ୍ରଶେଖର ପୁର ଥାନାରେ I ଅଭିଯୋଗ କରିଛନ୍ତି ବିଲୁପଡ଼ା ବଡ଼ପଦନପୁରର ରାଜକିଶୋର ଜେନା I

ଘଟନାନୁସାରେ,ରାଜକିଶୋର ଚଳିତ ମାସ ୧୦ ତାରିଖରେ ନିଜ ଝିଅର ବାହାଘର ସାରିଥିଲେ I ଆଜି ବନ୍ଧୁଙ୍କୁ କୁଣିଆ ବେଭାର ଦେବା ସକାଶେ ନିଜ ପରିବାର ସହିତ ୫୦ ହଜାର ତାଙ୍କ ନେଇ ଭୁବନେଶ୍ୱର ଆସୁଥିଲେ I ଏକ ବସ୍‌ରେ ବାଙ୍କୀରୁ ଆସି ତ୍ରିଶୂଳିଆ ନିକଟରେ ଓହ୍ଲାଇଥିଲେ। ସେଠାରୁ ସେମାନେ ଭୁବନେଶ୍ୱର ଆସିବା ପାଇଁ ୧୮ ନମ୍ବର ରୁଟର ‘ମୋ ବସ୍‌’ରେ ଚଢ଼ିଥିଲେ। ତେବେ ଗନ୍ତବ୍ୟ ସ୍ଥଳରେ ପହଁଚିବା ପୂର୍ବରୁ ତାଙ୍କ ଟଙ୍କା ଚୋରି ହୋଇ ଯାଇଥିବା ଜାଣିବାକୁ ପାଇଲେ I ଏହା ପରେ ସେ ଅତ୍ୟଧିକ ବିଚଳିତ ହୋଇ ବସ ର କର୍ମଚାରୀଙ୍କୁ ଜଣାଇ ଥିଲେ I ବସ କର୍ମଚାରୀ ମାନେ ସବୁ କର୍ମଚାରୀଙ୍କୁ ଚେକ କରିଥିଲେ ମଧ୍ୟ ହଜିଥିବା ଟଙ୍କା ମିଳି ନ ଥିଲା I ଏହା ପରେ ରାଜକିଶୋର ଜେନା ଚନ୍ଦ୍ରଶେଖରପୁର ଥାନାକୁ ଯାଇ ଏତଲା ଦେଇଥିଲେ।
ସେହିପରି ଗତ ୪ ମାସ ପୂର୍ବରୁ ଭୁବନେଶ୍ୱର ରୁ କଟକ ଯାଉଥିବା ୧୯ ନମ୍ବର ବସରେ ଆଚାର୍ଯ୍ୟ ବିହାର ନିକଟରେ ଜଣେ କ୍ୟାନସର ରୋଗୀଙ୍କ ଠାରୁ ୪୨ ହଜାର ଟଙ୍କା ଚୋରି ହୋଇଥିଲା I ରାଜ୍ୟ ସରକାରଙ୍କ ‘ମୋ ବସ’ସେବା ଅତ୍ୟନ୍ତ ସୁଲଭ ହୋଇଥିବାରୁ ଖଚାଖଚ ଭିଡ଼ ହେଉଛି I ଏହି ସୁଯୋଗ ନେଇ ଦୁର୍ବୁର୍ତ୍ତମାନେ ହାତ ସଫେଇ କରୁଛନ୍ତି I ଗତବର୍ଷ ଡିସେମ୍ବର ମାସରେ କମିଶନରେଟ୍ ପୁଲିସ୍ ୭ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା। ସେମାନେ କୃତ୍ରିମ ଭିଡ଼ ସୃଷ୍ଟି କରି ମୋ ବସ୍‌ ରୁ ଲୁଟ୍ କରୁଥିଲେ।