ଲଢ଼ିବେନି ପିନାକୀ! ସ୍ଥାନ ନେବେ ଅରୂପ?

ରାଜ୍ୟରେ ବିଜେଡି- ବିଜେପି ସମ୍ଭାବ୍ୟ ମେଣ୍ଟକୁ ନେଇ ଏପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ହଟି ନାହିଁ । ନିର୍ବାଚନ କମିଶନ ଲମ୍ବା ସମୟ ଦେଇଥିବା ପରିପ୍ରେକ୍ଷୀରେ ଉଭୟ ଦଳ ମଧ୍ୟରେ ଚାଲିଥିବା ମେଣ୍ଟ ଆଲୋଚନା ମନ୍ଥର ହୋଇଯାଇଛି । କୁହାଯାଉଛି ଉଭୟ ଦଳର ଶୀର୍ଷ ନେତୃତ୍ୱ ପରସ୍ପର ସହ ଯୋଗାଯୋଗରେ ଅଛନ୍ତି । ମେଣ୍ଟ ହେଲେ କାହା ଭାଗର କେଉଁ ଆସନ ପଡ଼ିବ ସେ ନେଇ ଏବେ ଆଶାୟୀ ଓ କର୍ମୀ ରହିଛନ୍ତି ସବୁଠୁ ଅଧିକ ଦ୍ୱନ୍ଦରେ । ଆଉ ଏହି ସବୁ ଭିତରେ ପୁରୀ ଲୋକସଭା ଆସନକୁ ନେଇ ଉଷ୍ମ ହୋଇଛି ରାଜନୀତି । ଆଉ ଯଦି ରାଜ୍ୟରେ ମେଣ୍ଟ ହୁଏ ତେବେ କାହା ଭାଗରେ ପଡ଼ିବ ଏହି ଆସନ । ବିଜେଡି ନା ବିଜେପି ? ପୁରୀରୁ ଏବେ ସାଂସଦ ଅଛନ୍ତି ବିଜେଡିର ପିନାକୀ ମିଶ୍ର । ଗତ ୨୦୧୯ ନିର୍ବାଚନରେ ବିଜେଡ଼ିର ପିନାକୀ ମିଶ୍ର ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କଠାରୁ ମାତ୍ର ୧୧ ହଜାର ୭୧୪ ଖଣ୍ଡ ଭୋଟ ପାଇ ବିଜୟ ମୁକୁଟ ପିନ୍ଧିଥିଲେ ।

ଆଉ ଆସନ୍ତା ନିର୍ବାଚନରେ ଏଠାରେ କିଏ ହେବ ପ୍ରାର୍ଥୀ ତାହାକୁ ନେଇ ବେସି ଚର୍ଚ୍ଚା ହେବାରେ ଲାଗିଛି । କାରଣ କୁହାଯାଉଛି, ଏଥର ନିର୍ବାଚନ ଲଢିବାକୁ ଚାହୁଁନାହାନ୍ତି ପିନାକୀ । ଆଉ ସେଥିପାଇଁ ଗ୍ରାଉଣ୍ଡରେ ତାଙ୍କ ଦେଖା ବି ମିଳୁନି । ୧୯୯୬ ରେ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇ ଲୋକସଭାକୁ ଯାଇଥିଲେ ମଧ୍ୟ ପରେ ପିନାକୀ ବିଜେଡିରେ ସାମିଲ ହୋଇ ନିଜର ପତିଆରା ସୃଷ୍ଟି କରିଥିଲେ । ୨୦୦୯ରୁ ପୁରୀ ଲୋକସଭା ଆସନରୁ ଲଗାତାର ଭାବରେ ବାଜିମାତ କରି ଏହି ସଂସଦୀୟ କ୍ଷେତ୍ରରୁ ହାଟ୍ରିକ ମାରି ସାରିଲେଣି । ୨୦୧୯ ସାଧାରଣ ନିର୍ବାଚନରେ ପିନାକୀ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା । ପିନାକୀଙ୍କୁ ପୁରା କ୍ଲୋଜ ଫାଇଟ ଦେଇଥିଲେ ସମ୍ବିତ । ୨୦୦୯ରୁ ପିନାକୀଙ୍କ ଭୋଟ୍ ହାର ବଢିବା ସହ ବିଜୟ ବ୍ୟବଧାନ ବେଶ ଅଧିକ ରହୁଥିବା ବେଳେ ୧୯ ରେଜଲ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

ଆଉ ୨୪ ନିର୍ବାଚନ ପାଖେଇ ଆସୁଥିବା ବେଳେ ପିନାକୀ ଗ୍ରାଉଣ୍ଡରେ ଦେଖା ନମିଳୁଥିବାରୁ ସେ ଆସନ୍ତା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି ଏବେ ଶୁଣାଯାଉଛି । ଆଉ ଏବେ ଚର୍ଚ୍ଚା ହେଉଛି ତାଙ୍କ ସ୍ଥାନରେ ବିଜେଡ଼ିରୁ ପୂର୍ବତନ ଆଇପିଏସ୍ ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଅନ୍ୟପଟେ ବିଜେପି ନେତା ସମ୍ବିତ ପାତ୍ର ନିର୍ବାଚନ ମଣ୍ଡଳୀରେ ବେଶ୍ ରହିଛନ୍ତି ଆକ୍ଟିଭ୍ । ଗାଁ ଗାଁରେ ଲୋକଙ୍କ ପାଖରେ ପହଂଚୁଛନ୍ତି ସମ୍ବିତ । ଆଉ ସେ ଏଠାରୁ ବିଜେପି ରୁ ପ୍ରାର୍ଥୀ ହେବା ଏକ ପ୍ରକାର ସ୍ପଷ୍ଟ ବୋଲି ଏବେ ମଧ୍ୟ କୁହାଉଛି । କିନ୍ତୁ ରାଜ୍ୟରେ ଲାଗିଥିବା ମେଣ୍ଟ ଦ୍ୱନ୍ଦ ଦୂର ହୋଇନଥିବାରୁ ଏହି ଆସନରେ ଏବେ ସମସ୍ତେ ରହିଛନ୍ତି ଦ୍ୱନ୍ଦରେ । ତେବେ ଦେଖିବାକୁ ବାକିରହିଲା ଆସନ୍ତା ନିର୍ବାଚନରେ କିଏ କବ୍ଚା କରୁଛି ଏହି ଆସନ ।