LPG ଦର ବୃଦ୍ଧି: ସାଧାରଣ ଖାଉଟିଙ୍କୁ ମହଙ୍ଗା ମାଡ଼, ଘରୋଇ ସିଲିଣ୍ଡର ମୂଲ୍ୟ ୨୯ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ସାଧାରଣ ଜନତାଙ୍କୁ ପୁଣି ଏକ ଝଟକା ଲାଗିଛି। କ୍ଷୀର, ପେଟ୍ରୋଲ, ଡିଜେଲ ଓ ସିଏନ୍‌ଜି ପରେ ଏବେ ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ଦର ମଧ୍ୟ ବୃଦ୍ଧି ପାଇଛି। ସରକାରୀ ତୈଳ ବିପଣନ କମ୍ପାନିଗୁଡ଼ିକ ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ୨୯ ଟଙ୍କା ବୃଦ୍ଧି କରିଛନ୍ତି। ଫଳରେ ରାଜଧାନୀ ଦିଲ୍ଲୀରେ ଏହାର ଦର ୯୧୩ ଟଙ୍କାରୁ ବଢ଼ି ୯୪୨ ଟଙ୍କାରେ ପହଞ୍ଚିଛି। ସେହିପରି ଦିଲ୍ଲୀ-ଏନ୍‌ସିଆରରେ ୫ କିଲୋଗ୍ରାମ ବିଶିଷ୍ଟ ଛୋଟ ଘରୋଇ ସିଲିଣ୍ଡରର ମୂଲ୍ୟ ୩୩୯ ଟଙ୍କା ରହିଥିବା ବେଳେ, ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ (Commercial) ସିଲିଣ୍ଡର ଦର ୩,୧୧୩.୫୦ ଟଙ୍କା ରହିଛି। ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ପରେ ଏଲ୍‌ପିଜି ମୂଲ୍ୟ ମଧ୍ୟ ବୃଦ୍ଧି ପାଇବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିଲା। ଏହା ପୂର୍ବରୁ ସରକାର ମେ’ ୧ ତାରିଖରେ ବାଣିଜ୍ୟିକ ସିଲିଣ୍ଡର ଦର ବଢ଼ାଇଥିଲେ। ପରବର୍ତ୍ତୀ ସମୟରେ ଜୁନ୍ ୧ ତାରିଖରେ ମଧ୍ୟ ୧୯ କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡରର ମୂଲ୍ୟ ଆଉ ୪୨ ଟଙ୍କା ବୃଦ୍ଧି କରାଯାଇଥିଲା। ଅପରପକ୍ଷରେ, ଏଲ୍‌ପିଜି ଯୋଗାଣ ସମ୍ପର୍କରେ ସୂଚନା ଦେଇ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଏଲ୍‌ପifଜି ସମେତ ଅନ୍ୟ ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ବର୍ତ୍ତମାନ ସୁଦ୍ଧା କୌଣସି ବି ଗ୍ୟାସ ଏଜେନ୍ସି ପକ୍ଷରୁ ଅଭାବ ସମ୍ପର୍କିତ କୌଣସି ରିପୋର୍ଟ ଆସିନାହିଁ। ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି ଏବଂ କଳାବଜାରୀକୁ ରୋକିବା ପାଇଁ ସାରା ଦେଶରେ ନିରନ୍ତର ନଜରଦାରି କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

Domestic LPG cylinder price increased by Rs 29