ଲିଫ୍ଟ ମାଗି ଅସଦାଚରଣ କଲେ ଡାକ୍ତର

ଭୁବନେଶ୍ବର: ମହିଳା ଡାକ୍ତରାଣୀଙ୍କୁ ଲିଫ୍ଟ ମାଗିଲେ। ଲିଫ୍ଟ ପାଇବା ପରେ ମହିଳାଙ୍କୁ ଅସଦାଚରଣ କଲେ। ଆଉ ଶେଷରେ ଗିରଫ ହେଲେ ଡାକ୍ତର କ୍ଷମା ସେଠୀ। ଜଣେ ମହିଳା ଡାକ୍ତରଙ୍କୁ ପ୍ରେମ ନିବେଦନ କରି ଅସଦାଚରଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଘଟଣାଟି ଘଟିଛି ଭୁବନେଶ୍ୱରରେ। ଗତକାଲି ସେ ଜଣେ ମହିଳା ଆୟୁଷ ଡାକ୍ତରଙ୍କୁ ଲିଫ୍ଟ ମାଗିଥିଲେ। ଚିହ୍ନାପରିଚିତ ହୋଇଥିବାରୁ ମହିଳା ଡାକ୍ତର ଜଣଙ୍କ ମନା କରି ନଥିଲେ। ତେବେ ସ୍କୁଟି ପଛରେ ବସି ଗଲା ବେଳେ ଡାକ୍ତର କ୍ଷମା ସେଠୀ ମହିଳା ଆୟୁଷ ଡାକ୍ତରଙ୍କୁ ଅସଦାଚରଣ କରିଥିଲେ। ଅଭିଯୁକ୍ତ ଡାକ୍ତର କ୍ଷମା ସେଠୀ ସେହି ମହିଳା ଡାକ୍ତରଙ୍କ ଶରୀରକୁ ତାଙ୍କ ବିନା ଅନୁମତିରେ ସ୍ପର୍ଶ କରିଥିଲେ। ସେ ମହିଳା ଡାକ୍ତରଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବାକୁ ମଧ୍ୟ ପ୍ରୟାସ କରିଥିଲେ। ତାଙ୍କ ସହିତ ରାତି ବିତାଇଲେ ପ୍ରମୋସନ ସହିତ ମନପସନ୍ଦର ସ୍ଥାନକୁ ବଦଳି କରାଇ ଦେବେ ବୋଲି ମଧ୍ୟ ଡାକ୍ତର ସେଠୀ ତାଙ୍କୁ କହିଥିଲେ ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ପାଇବା ପରେ ଏୟାରଫିଲ୍‌ଡ ଥାନା ପୁଲିସ ଘଟଣାର ଯାଞ୍ଚ କରି ଅଭିଯୁକ୍ତ ଡାକ୍ତର ସେଠୀଙ୍କୁ ଗିରଫ କରିଛି।