ଦ୍ରୌପଦୀଙ୍କ ଗାଡି ସମ୍ପର୍କରେ ଜାଣିଛନ୍ତି କି ?

ମଫସଲି ଝିଅ ଦ୍ରୌପଦୀ ମୁର୍ମୁ ଏବେ ରାଇସିନାର ରାଣୀ । ଦେଶର ପ୍ରଥମ ନାଗରିକ ଭାବେ ତାଙ୍କୁ ମିଳିଛି ପଦପର୍ଯ୍ୟାଦା । ସୁରକ୍ଷା ଓ ସମ୍ମାନ ଦୃଷ୍ଟିକୋଣରୁ ତାଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି । ସବୁଠାରୁ ବଡ଼ କଥା ହେଲା ସେ ଚଢ଼ୁଥିବା ଭାରତର ଅଭେଦ୍ୟ କାର୍ । ତାଙ୍କ କାରକୁ କିଛି ବି ଛୁଇଁ ପାରିବନି । ସେ ଗୁଳି ଫୁଟୁ କି ବମ୍ । ମିଶାଇଲ ଆଟାକ୍ ହେଉ କି ଗ୍ରାନାଇଡ ଆଟାକ୍ । ଏପରିକି ବାୟୁ ପ୍ରଦୂଷଣର ବି ପ୍ରଭାବ ତାଙ୍କ ଗାଡି ଉପରେ ପଡ଼ିବ ନାହିଁ । ସବୁ ପରିସ୍ତିତିରେ ବି ତାଙ୍କ ଗାଡି ସୁରକ୍ଷିତ ଥାଏ । ଯଦି କିଛି ଅସୁବିଧା ଥାଏ, ତେବେ ନିଟରେ ଥିବା ନିୟନ୍ତ୍ରଣ କକ୍ଷକୁ ବି ଖବର ପହଞ୍ଚିଯାଏ, ରାଷ୍ଟ୍ରପତିଙ୍କ ଗାଡି ଉପରେ ବିପଦ ଅଛି । ଏଭଳି ଜରୁରୀ ସେବା ରାଷ୍ଟ୍ରପତିଙ୍କ କାରରେ ରହିଛି । ତେବେ ଆସନ୍ତୁ ଜାଣିବା ରାଷ୍ଟ୍ରପତି ଚଢୁଥିବା ଏହି ବାହନରେ ରହିଛି କ’ଣ କ’ଣ ବିଶେଷତ୍ୱ ।

ରାଷ୍ଟ୍ରପତି ଚଢୁଥିବା ବିଳାସମୟ ଗାଡି ହେଉଛି l ‘ମର୍ସିଡିଜ୍ ଏସ-୬୦୦ ପୁଲମାନ ଗାର୍ଡ’ l ଏହା ଭାରତର ସର୍ବୋତ୍ତମ ସୁରକ୍ଷିତ ଗାଡି ମଧ୍ୟରୁ ଅନ୍ୟତମ l ଏହାର ବୈଶିଷ୍ଟ୍ୟ ଯେତିକି ଚର୍ଚ୍ଚିତ ସେତିକି ତାତ୍ପର୍ଜ୍ୟପୂର୍ଣ୍ଣ ମଧ୍ୟ । ପୂର୍ବରୁ ଏହି ଗାଡି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସେବା ଯୋଗାଇ ଆସୁଥିବା ବେଳେ ଏବେ ନୂଆ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସେବାରେ ଏହାକୁ ନିୟୋଜିତ କରାଯାଇଛି । ରାଷ୍ଟ୍ରପତିଙ୍କ ବାହନ ଭାବେ ପରିଚିତ ଏହି ଗାଡିକୁ ୨୦୧୫ରେ କିଣାଯାଇଥିଲା । ଯାହାର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ହେବ l ପରେ ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା, ସୁରକ୍ଷିତ ଉପକରଣ ସଂଯୁକ୍ତ କରାଯାଇଛି । ଏହା ବିସ୍ଫୋରକ ପ୍ରତିରୋଧୀ ହୋଇଥିବାବେଳେ ‘ଭିଆର-୯ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଏଥିରେ ଅନ୍ତଭୁର୍କ୍ତ । ଏହି ଦାମୀ ଗାଡ଼ି ୨ ମିଟର ଦୂରରୁ ୧୫ କିଲୋଗ୍ରାମ ଯାଏ ବିପଜ୍ଜନକ ବିସ୍ଫୋରକର ସମ୍ମୁଖୀନ ହେବାର ସକ୍ଷମ । ଏହାସହ ୭.୪୨ ଏକ୍ସ ୫୧ ମିଲିମିଟର ଯାଏ ଗୁଳି ପ୍ରତିରୋଧ କରିପାରିବାର କ୍ଷମତା ରହିଛି । ଏପରିକି ଏକେ-୪୭ର ଗୁଳି ମଧ୍ୟ ଏହି ଗାଡିର କିଛି କ୍ଷତି କରିପାରିବ ନାହିଁ । ଏହି ଗାଡିର ଚକ ଗୁଡ଼ିକ ମଧ୍ୟ ବୁଲେଟ୍ ପ୍ରୁଫ୍ ।

ଏହାର ଆଭ୍ୟନ୍ତରୀଣ ଡିଜାଇନ ମଧ୍ୟ ସ୍ୱତନ୍ତ୍ର ପ୍ରକାରର । ଏଥିରେ ଅକ୍ସିଜେନ ବ୍ୟବସ୍ଥା, ଅଟୋମେଟେଡ ଲକ କଣ୍ଟ୍ରୋଲ, ଜରୁରୀକାଳୀନ ଆଲାର୍ମ ସମେତ ଅନ୍ୟାନ୍ୟ ବିଶେଷ ସୁବିଧା ରହିଛି । ମୁହାଁମୁହିଁଭାବେ ଏଥିରେ ୪ ଜଣ ବସିପାରିବେ । ଏହାସହ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗାଡିରେ ଯେଉଁ ଅକ୍ସିଜେନ ସୁବିଧା ଉପଲବ୍ଧ, ତାହା ପଛରେ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି । ଯଦି କୌଣସି ସମୟରେ ଗାଡି ଦୁର୍ଘଟଣାର ସମ୍ମୁଖୀନ ହୁଏ କିମ୍ବା କୌଣସି ରାସାୟନିକ ଗ୍ୟାସ ପ୍ରୟୋଗ କରାଯାଏ, ତେବେ ଏହା କାମରେ ଆସିବ । ଏହି ବ୍ୟବସ୍ଥା ସ୍ୱୟଂଚାଳିତ ଭାବେ ଦୀର୍ଘ ସମୟ ଯାଏ ନିରନ୍ତର ଅକ୍ସିଜେନ ଯୋଗାଣ କରି ଜୀବନ ରକ୍ଷାରେ ସହାୟକ ହେବ । ଜରୁରୀ ପରିସ୍ଥିତି ଉଗୁଜିଲେ, ଗାଡିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଆପେଆପେ ସଙ୍କେତ ଚାଲିଯାଏ । ଏହାସହ ଏହାଭିତରେ ଦୁଇଟି ଦୁର୍ଘଟଣା ପ୍ରତିରୋଧୀ ଏୟାରବେଗ୍ ଲଗାଯାଇଛି । ସେହିପରି ପଛପାଶ୍ୱର୍ରେ ସ୍ୱତନ୍ତ୍ର ଭାବେ ୱିଣ୍ଡୋବ୍ୟାଗ୍ ଖଞ୍ଜାଯାଇଛି । ଏଭଳି ଅନେକ କିଛି ଅତ୍ୟାଧୁନିକ ସୁବିଧା ସୁଯୋଗ ଏହି କାରରେ ରହିଛି ।