ଭୁବନେଶ୍ୱର: ଭୁବନେଶ୍ୱରରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷକ ପ୍ରତିନିଧି, କୃଷି ବିଶେଷଜ୍ଞ, କୃଷକ ଉତ୍ପାଦକ ସଂଗଠନ (ଏଫପିଓ), ଷ୍ଟାର୍ଟଅପ୍, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ମଧ୍ୟ ଯୋଗ ଦେଇଛନ୍ତି । ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି, କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି କରିବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା । ପୂର୍ବାଞ୍ଚଳ କୃଷି ସମ୍ମିଳନୀରେ ଉଦବୋଧନ ଦେଇ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ, ଆମ କ୍ଷେତ୍ରର କୃଷି ଆହୁରି ସୁଦୃଢ ହେଉ । ଚାଷୀଙ୍କ ଆୟ ବଢୁ l ପୋଷଣ ହାର ବୃଦ୍ଧି କରି ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ପଡ଼ିବ । ସ୍ୱତନ୍ତ୍ର ମଡେଲ ଜରିଆରେ ମିଶ୍ରିତ କୃଷି ପାଇଁ ଚାଷୀଙ୍କୁ ପ୍ରେରିତ କରାଅ । ଅନ୍ତର୍ଜାତୀୟ ସ୍ଥିତି ଯୋଗୁଁ ସାର ପାଇଁ ଦେଶରେ ଚିନ୍ତା ବଢିଛି l ନକଲି ପେଷ୍ଟିସାଇଡ୍ ବଜାରରେ ବିକ୍ରି ହେଉଛି । ସାର କଳାବଜାରୀ ହେଲେ କାହାକୁ ଛଡ଼ା ଯିବନି l ଏଥିପାଇଁ କଡ଼ା ଆଇନ ହେବ | ସେ ଆହୁରି କହିଛନ୍ତି ଚାଷୀ ପାଇଁ ତିଆରି ହେବ ଫାର୍ମର ଆଇଡି । ଏହି ଆଇଡି ରେ ସମ୍ପତ୍ତି, ପରିବାର ସଦସ୍ୟ ସଂଖ୍ୟା ସହ ଚାଷୀ ପାଖରେ କେତେ ଜମି ଅଛି, ସବୁ ତଥ୍ୟ ରହିବ । ଏହାଦ୍ୱାରା ଚାଷୀଙ୍କୁ ଗୋଟିଏ ଦୁଇ ମିନିଟରେ ଲୋନ୍ ମିଳିବ । ସବୁ ରାଜ୍ୟ ଶୀଘ୍ର ଫାର୍ମର ଆଇଡି ପ୍ରସ୍ତୁତ କରନ୍ତୁ l ଅଭାବୀ ବର୍ଷାକୁ ନେଇ ଆଗୁଆ ପ୍ରସ୍ତୁତ ରୁହନ୍ତୁ ସବୁ ରାଜ୍ୟ। । ଏଥର ମୌସୁମୀ ଶୀଘ୍ର ଆସିଲେ ବି ବ୍ରେକ୍ ମୌସୁମୀ ଚିନ୍ତା ବଢାଇବ । ତେଣୁ କେଉଁ ପ୍ରକାର ଚାଷ କରିବା ଦରକାର ସେ ଚିନ୍ତା କରନ୍ତୁ ରାଜ୍ୟ ସରକାର ।
ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଯୁଦ୍ଧ ପାଇଁ ପେଟ୍ରୋଲ ଡିଜେଲ ସଙ୍କଟ କୃଷି ବିଭାଗ ଉପରେ ପଡ଼ିଛି । ଓଡ଼ିଶା କୃଷି ପ୍ରଧାନ ରାଜ୍ୟ । ରାଜ୍ୟରେ ୨୧ ଲକ୍ଷ ହେକ୍ଟର ଡାଲି ଜାତୀୟ ଚାଷ ହେଉଛି । ଖାଇବା ତେଲ ବର୍ତ୍ତମାନ ଚିନ୍ତାର ବିଷୟ ହୋଇଛି । ତେଣୁ ତେଲ ଉତ୍ପାଦନରେ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ରାଜ୍ୟରେ ଧାନ ଉତ୍ପାଦନ ବଢିଛି । ଦେଶରେ ଆମ ରାଜ୍ୟ ଧାନ ଉତ୍ପାଦନରେ ୨ୟ ସ୍ଥାନରେ ଅଛି । କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି କିପରି ଅନ୍ୟ ରାଜ୍ୟକୁ ଚାଉଳ ଦିଆଯାଇ ପାରିବ । ଏବେ ଅର୍ଗାନିକ୍ ଭୋଗ ଶ୍ରୀମନ୍ଦିରରେ ଲାଗୁଛି । କୃଷକ ସମୃଦ୍ଧ ଯୋଜନାରେ ନୂଆ କରି ଚାଷୀଙ୍କୁ ୩୧୦୦ ଟଙ୍କା ଦିଆଯାଉଛି । ପୂର୍ବ ସରକାର ଶୀତଳ ଭଣ୍ଡାର କଥା ଚିନ୍ତା କରି ନଥିଲେ । ହେଲେ ଆମ ସରକାର ସବୁ ସବଡିଭିଜନରେ ଶୀତଳ ଭଣ୍ଡାର ପାଇଁ ବ୍ୟବସ୍ଥା କରୁଛି । ଆଗାମୀ ଦୁଇ ବର୍ଷରେ କୋରାପୁଟରେ ୧ ଲକ୍ଷ ଏକରରେ କଫି ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି ।